spot_img

Latest Posts

ପଙ୍ଗପାଳ ବାଟ ବଦଳାଇ ମଧ୍ୟପ୍ରଦେଶ ଫେରିଲେ, ତଥାପି ସତର୍କ ଓଡ଼ିଶା ସରକାର

ଭୁବନେଶ୍ୱର: ସାମୟିକ ଭାବେ ପଙ୍ଗପାଳ ଆତଙ୍କରୁ ଓଡ଼ିଶାକୁ ମିଳିଛି ମୁକ୍ତି । ଓଡ଼ିଶା ମୁହାଁ ହେଉଥିବା ପଙ୍ଗପାଳ ରାସ୍ତା ବଦଳାଇ ମଧ୍ୟପ୍ରଦେଶ ମୁହାଁ ହୋଇଛନ୍ତି । ଛତିଶଗଡରୁ ସେମାନେ ପୁଣି ଥରେ ମଧ୍ୟପ୍ରଦେଶ ଉଡି ଯାଇଛନ୍ତି । ମଧ୍ୟପ୍ରଦେଶ କୃଷି ବିଭାଗ ତରଫରୁ ମିଳିଥିବା ଏହି ସୂଚନା ଓଡ଼ିଶା ଚାଷୀଙ୍କୁ ଆଶ୍ୱସ୍ତି ଦେଇଛି । କାରଣ ଅନୁମାନ କରାଯାଉଥିଲା ଯେ, ପଶ୍ଚିମ ଓଡ଼ିଶାରୁ ୬ ଶହ କିଲୋମିଟର ଦୂରରେ ଛତିଶଗଡରେ ଆତଙ୍କ ସୃଷ୍ଟି କରିଥିବା ପଙ୍ଗପାଳ ଗୁରୁବାର ରାତି ବେଳକୁ ଓଡ଼ିଶା ଆସିବେ  । ପଙ୍ଗପାଳ ଓଡ଼ିଶା ଆସୁଥିବା ଖବର ବ୍ୟାପିବା ପରେ ଚାଷୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଅଦିନିଆ ବର୍ଷା ଓ ବାତ୍ୟା ମାଡ ସହିଥିବା ଓଡ଼ିଶା ଚାଷୀ ସେମାନଙ୍କ ବର୍ଷକର ପରିଶ୍ରମକୁ ପଙ୍ଗପାଳ ଶେଷ କରିଦେବେ ବୋଲି ଆତଙ୍କିତ ହୋଇ ପଡିଥିଲେ ।

ରାଜ୍ୟ ସରକାର ମଧ୍ୟ ପଙ୍ଗପାଳ ମୁକାବିଲା ପାଇଁ ପ୍ରୋଆକ୍ଟିଭ୍ ହୋଇଥିଲେ । ସବୁ ଜିଲ୍ଲାରେ ଏଥିପାଇଁ ବିଶେଷ ପଦକ୍ଷେପ ନିଆଯାଇଥିଲା । ମଙ୍ଗଳବାର ଦିନ ପଙ୍ଗପାଳ ମୁ୍କାବିଲା ନେଇ ମୁ୍ଖ୍ୟମୃନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ କୃଷି ସଚିବ, ନିର୍ଦ୍ଦେଶକ ଓ ସ୍ବତନ୍ତ୍ର ସଚିବ ଯ଼ୋଗ ଦେଇଥିଲେ। ପଙ୍ଗପାଳ ମୁ୍କାବିଲା କରିବା ନେଇ ମୁ୍ଖ୍ୟମୃନ୍ତ୍ରୀ ସମୀକ୍ଷା କରିଥିଲେ। ସୋମବାର ଦିନ  ଛତିଶଗଡ଼ କୃଷି ସଚିବଙ୍କ ସହ ଓଡିଶା କୃଷି ନିର୍ଦ୍ଦେଶକ ଆଲୋଚନା କରିଥିଲେ।

ରାଜ୍ୟ ସରକାର ସତର୍କ

ବର୍ତ୍ତମାନ ପାଇଁ ପଙ୍ଗପାଳ ଓଡ଼ିଶା ସୀମାରୁ ଦୂରେଇ ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏନେଇ ସତର୍କ ରହିଛନ୍ତି । ସୀମାବର୍ତ୍ତି ଜିଲ୍ଲାଗୁଡିକଙ୍କୁ ଏନେଇ ସତର୍କ କରି ଦିଆଯାଇଛି । ଫସଲକୁ ପଙ୍ଗପାଳଙ୍କଠାରୁ ରକ୍ଷା କରିବା ପାଇଁ କେମିକାଲ ଆଦି ଷ୍ଟକ୍ କରିବା ପାଇଁ କୁହାଯାଇଛି । ଏନେଇ ଆଜି ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ପଙ୍ଗପାଳ ମଧ୍ୟପ୍ରଦେଶ ଫେରିଯାଇଛି। ହେଲେ ଓଡ଼ିଶା ପାଇଁ ବିପଦ ନାହିଁ ବୋଲି କହି ହେବନି। ଓଡ଼ିଶା ଆସିବାର ସମ୍ଭାବନା ଅଛି। ଆମେ ଛତିଶଗଡ଼ ସରକାରଙ୍କ ସହ ଯୋଜଯୋଗରେ ଅଛୁ ବୋଲି କହିଛନ୍ତି କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏକ କେ ବଶିଷ୍ଟ ।  ଅନ୍ୟପକ୍ଷରେ କୃଷି ନିର୍ଦ୍ଦେଶକ ଏମ ମୁଥୁ କୁମାରଙ୍କ ଅନୁସାରେ  ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ ସୀମାନ୍ତରେ ଥିବା ଓଡ଼ିଶାର ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡା କଳାହାଣ୍ଡି, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୁରଭଞ୍ଜ ପାଇଁ ଜାରି ହୋଇଛି ଆଲର୍ଟ। ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ସଜାଗ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।
ପାକିସ୍ତାନ ପଟୁ ଭାରତକୁ କରିଛନ୍ତି ପ୍ରବେଶ

ପଙ୍ଗପାଳ ଦଳ ପାକିସ୍ତାନ ପଟୁ ଭାରତ ମଧ୍ୟକୁ ପ୍ରବେଶ କରିଛନ୍ତି । ଗୋଟିଏ ଗୋଟିଏ ପଙ୍ଗପାଳ ଦଳରେ ୪ କୋଟି ଝିଣ୍ଟିକା ପ୍ରଜାତିର କୀଟ ରହିଥାନ୍ତି । ଗୋଟିଏ ଦଳ ଦିନକୁ ୧୫୦ କିଲୋମିଟର ବାଟ ଅତିକ୍ରମ କରିଥାନ୍ତି । ଗୋଟିଏ ଛୋଟ ପଙ୍ଗପାଳ ଦଳ ୩୫ ହଜାର ଲୋକଙ୍କ ଖାଦ୍ୟ ଖାଇ ଦେଇଥାନ୍ତି । ୨ ଗ୍ରାମ ଓଜନର ଗୋଟିଏ ପଙ୍ଗପାଳ ନିଜ ଓଜନ ଯେତିକି ଖାଦ୍ୟ ଖାଇଥାଏ । ପଙ୍ଗପାଳ ପବନ ସହ ଗତି କରିଥାନ୍ତି । ଯେଉଁ ଦୀଗକୁ ପବନ ବହିଥାଏ ସେମାନେ ସେହି ଦୀଗକୁ ଅଗ୍ରସର ହୋଇଥାନ୍ତି । ଭାରତରେ ପ୍ରଥମେ ପଙ୍ଗପାଳ ରାଜସ୍ଥାନ ମଧ୍ୟକୁ ପ୍ରବେଶ କରିଥିଲେ । ଏହାପରେ ସେମାନେ ମଧ୍ୟପ୍ରଦେଶ ଓ ସେଠାରୁ ଛଡିଶଗଡକୁ ଯାଇଥିଲେ । ଛଡିଶଗଡରୁ ପଙ୍ଗପାଳଙ୍କ ଦଳ ଓଡ଼ିଶା ଆସିବେ ବୋଲି ଆଶଙ୍କା କରାଯାଉଛି । କୁହାଯାଉଛି ଯେ, ମୌସୂମୀ ବର୍ଷା ହିଁ ପଙ୍ଗପାଳ ଆତଙ୍କରୁ ମୁକ୍ତି ଦେଇପାରିବ ।

 

Latest Posts

Don't Miss