ଭୁବନେଶ୍ୱରରେ ବିଳମ୍ବିତ ରାତିରେ କାଳବୈଶାଖୀର ତାଣ୍ଡବ, ଘଣ୍ଟା ପ୍ରତି ପବନର ବେଗ ଥିଲା ୫୫ କିମି

ଭୁବନେଶ୍ୱର: ଟ୍ୱିନ୍ ସିଟିରେ ମଧ୍ୟରାତ୍ରରେ ମହାତାଣ୍ଡବ। ରାଜଧାନୀରେ ବିଳମ୍ବିତ ରାତିରେ କାଳବୈଶାଖୀର ତାଣ୍ଡବ। ପ୍ରବଳ ପବନ ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ପବନରେ ଭୁବନେଶ୍ୱରରେ ଅନେକ ସ୍ଥାନରେ ଗଛ ଭାଙ୍ଗିଯାଇଛି। କିଛି ସ୍ଥାନରେ ଘର ଉପରେ ଗଛ ପଡିବାରୁ ଘର ଭାଙ୍ଗିଛି। କିଛି ସ୍ଥାନରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବାରୁ ଲୋକେ ହଇରାଣ ହୋଇଛନ୍ତି।
ଆଜି ଭୋର ୪ଟାରୁ ଚିନ୍ତାମଣିଶ୍ୱର, କଳ୍ପନା, ପୁରୁଣା ଭୁବନେଶ୍ୱର, ବାଲିଅନ୍ତା, ଚନ୍ଦ୍ରଶେଖରପୁର ଓ ଏମଏଲଏ କଲୋନୀରେ ଅଗ୍ନିଶମ ବିଭାଗ ପକ୍ଷରୁ ୮ଟି ଟିମ୍ ଗଛ କାଟି ରାସ୍ତା ସଫା କରୁଛନ୍ତି।
ସେହିପରି କଟକରେ ମଧ୍ୟ ଭୋର ୩ଟାରୁ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଫଳରେ ସହରର ତଳି ଅଞ୍ଚଳ ଜଳମଗ୍ନ ହୋଇଛି। ସହରର ମୁଖ୍ୟ ନାଳରେ କୁଢ କୁଢ ମଇଳା ଜମା ହୋଇ ରହିଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ସଫା କରାଯାଇନାହିଁ। ଫଳରେ କିଛି ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଯାଇଛି। ବାଦାମବାଡ଼ି, ହରିପୁର, ପଟାପଲ, ମଙ୍ଗଳାବାଗ, ତୁଳସୀପୁର, ଗଙ୍ଗାମନ୍ଦିର, ବିଡାନାସୀ, ମାଛୁଆ ବଜାର, ସାମନ୍ତସାହିରେ ବର୍ଷା ପାଣି ଜମିରହିଛି ।