ଭାତର-ଚୀନ୍‌ ସୀମାରେ ବଢୁଛି ଉତ୍ତେଜନା… ତିନି ସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

1 min read

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ-ଚୀନ୍ ମଧ୍ୟରେ ବଢୁଛି ତିକ୍ତତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ତିନି ସେନା ମୁଖ୍ୟଙ୍କ ସହ ବିସ୍ତୁତ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ଓ ସିଡିଏସ୍ ଚିଫ୍‌‌ ଜେନେରାଲ ବିପିନ ରାଓ୍ୱତ ମଧ୍ୟ ସାମିଲ ଥିଲେ । ବୈଠକରେ ଲଦାଖ୍‌ ସୀମା ବିବାଦକୁ ନେଇ ବିସ୍ତୃତ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଡିଏସ୍‌ ଓ ଏନ୍‌ଏସ୍‌ଏ ପକ୍ଷରୁ ଭାରତୀୟ ସୀମାରେ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ସୀମାରେ ବର୍ତ୍ତମାନର ସ୍ଥିତି ଓ ସେନାର ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଛି ।

ଭାରତ-ଚୀନ୍‌ ସୀମା ବିବାଦ ଆରମ୍ଭ ହୋଇଥିବାରୁ ଚୀନ୍‌, ସୀମାରେ ସେନା ଠୁଳ କରିବା ଆରମ୍ଭ କରିଛି । ସୀମାରେ ଯୁଦ୍ଧ ବିମାନ ଠୁଳ କରିବା ସହ ଅସ୍ଥାୟୀ କ୍ୟାମ୍ପ୍‌ ନିର୍ମାଣ କରି ଅଧିକ ସଂଖ୍ୟକ ଯବାନ ନିୟୋଜିତ କରୁଛି ଚୀନ୍‌ । ଚୀନ୍‌କୁ ଜବାବ ଦେବା ପାଇଁ ଭାରତୀୟ ସେନାର ରଣନୀତି ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି । ବିବାଦ ବଢ଼ିବା ସ୍ଥିତିରେ ରଣନୈତିକ ଓ ସାମରିକ ବିକଳ୍ପ ନେଇ ଆଲୋଚନା ହୋଇଛି ।

ଲଦାଖ୍‌ ଓ ସିକ୍କିମ୍‌ ସୀମାରେ ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ଦେଖାଦେଇଛି । ଲଦାଖ ସୀମାରେ ଚୀନ୍‌, ଏୟାରବେସ୍‌ ନିର୍ମାଣ କରୁଥିବା ସାଟେଲାଇଟ୍‌ ଇମେଜ୍‌ରୁ ଜଣାପଡିଛି । ସେପଟେ ଯ଼ୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ପରାମର୍ଶ ଦେଇଛନ୍ତି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ । ସେନା ପ୍ରଶିକ୍ଷଣକୁ ଆହୁରି ବ୍ୟାପକ କରିବା ପାଇଁ ମଙ୍ଗଳବାର ସେଣ୍ଟ୍ରାଲ ମିଲିଟ୍ରି କମିଶନ ବୈଠକରେ ଜିନ୍‌ପିଙ୍ଗ୍‌ ନିର୍ଦ୍ଦେଶ ଦେଇଛନ୍ତି । କୋରାନା ମହାମାରୀ ପାଇଁ ଆମେରିକା ଓ ଅଷ୍ଟ୍ରେଲିଆ ସହ ମଧ୍ୟ ଚୀନ୍‌ର ସଂପର୍କ ଖରାପ ହୋଇଛି । ଲଦାଖରେ ଭାରତ ସହ ଚୀନ୍‌ ସେନା ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି । ସେପଟେ ହଂକଂରୁ ବି ଉଠୁଛି ଚୀନ୍‌ ବିରୋଧୀ ସ୍ୱର । ତେଣୁ ସେନାକୁ ସବୁଠୁ ଖରାପ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ପାଇଁ ଜିନ୍‌ପିଙ୍ଗ୍‌ ପରାମର୍ଶ ଦେଇଛନ୍ତି ।

Leave a Reply