ମଦ ପାଇଁ ହେଲେ ବାୟା: ସାମାଜିକ ଦୂରତାକୁ ବେଖାତିର, ଅନ୍‌ଲାଇନ୍‌ ନୁହେଁ ଅଫଲାଇନରେ ବୁହାଇଲେ ମଦ

ନନ୍ଦିଘୋଷ ବ୍ୟୁରୋ: ମଦ ବିକ୍ରି ପାଇଁ ବେପରୁଆ ହେଲେ ମଦ ଦୋକାନୀ । ସରକାରଙ୍କର କରୋନା କଟକଣା ନିୟମକୁ ସଟର ଖୋଲି ଉଡ଼ାଇଦେଲେ । ଲକଡାଉନରେ ବେଶ କିଛିଦିନ ପରେ ମଦ ବିକ୍ରୀକୁ ନେଇ ସରକାର ଅନଲାଇନରେ ମଦ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ମଦ ଚାହୁଁଥିବା ଲୋକେ ହୋମ ଡେଲିଭରିରେ ମଦ ପାଇପାରିବେ । କିନ୍ତୁ ଏଭଳି ନିଷ୍ପତ୍ତିକୁ ବେଖାତିର କରିଛନ୍ତି ମଦ ଦୋକାନୀ । ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ଦୋକାନି ଖୁଲାମ ଖୁଲା ମଦ ବେପାର କରିବାକୁ ଲାଗିପଡ଼ିଛନ୍ତି । ପୁରା ଦୋକାନ ନଖୋଲିଲେ ବି ଅଧା ସଟରେ ଚାଲିଛି ବେଧଡ଼କ ବେପାର । ବିନା ମାସ୍କ, ବିନା ସାମାଜିକ ଦୂରତାରେ ଚାଲିଛି ମଦ ବିକା ଓ କିଣା । ପୋଲିସ ଆସିଲେ ମଧ୍ୟ ପୋଲିସ ସାମ୍ନାରେ ଚାଲିଛି ମଦ କାରବାର । ଅନ ଲାଇନରେ ମଦ ଆସିବାରେ ଲେଟ ହେଉଛି ଏବଂ ସମସ୍ତେ ଡିଜିଟାଲ ପେମେଣ୍ଟ୍ ବାବଦରେ ଜାଣି ନାହାନ୍ତି,ତେଣୁ ଅଫଲାଇନ୍ ଦୋକାନ ଖୋଲାଯାଉ ବୋଲି  କହୁଛନ୍ତି ଗ୍ରାହକ । ଏଭଳି ଦୃଶ୍ୟ ଆଜି ଭୁବନେଶ୍ୱର ଏବଂ ପୁରୀରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ପୁରୀରେ ଦିନ ଦ୍ଵିପ୍ରହରରେ ବିଚ ବଜାର ର ମୁଖ୍ୟ ରାସ୍ତା ରେ ଚାଲିଛି ମଦ ବେପାର ।  ଭିଆଇପି ରୋଡ଼ ରେ ଥିବା ମଦ ଦୋକାନରେ ମଦ କିଣିବା ପାଇଁ ଜନ ଗହଳି ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିଲା । ଲକଡାଉନର ବେଶ କିଛିଦିନ ପରେ ମଦ ବିକ୍ରୀକୁ ନେଇ ସରକାର ଅନଲାଇନର ବାଟ ଖୋଲିଥିବା ସତ୍ୱେ ମଧ୍ୟ ମଦ ଦୋକାନୀ ଏ ସମସ୍ଥ ନିୟମ କୁ ପୁରୀରେ କରିଛନ୍ତି ଉଲଙ୍ଘନ । ବେଆଇନ ଭାବେ ଏବଂ ବେଧଡ଼କ ଢଙ୍ଗରେ ଦୋକାନ ନ ଖୋଲି ଗଳା ବାଟରେ ଖୁଲମଖୁଲା ମଦ ବିକ୍ରୀକୁ ନେଇ ସହରରେ ଏବେ ଚର୍ଚ୍ଚା ଜୋର ଧରିଛି । ମଦ କିଣିବା ପାଇଁ ଆସିଥିବା ଲୋକମାନେ କୋଭିଡ 19 ନିୟମ କୁ ଖୁଲମଖୁଲା ଉଲଂଘନ କରିଥିବା ବେଳେ ବ୍ୟାକୁଳତା ର ସହ ମଦ କିଣିଥିବା ଦେଖିବାକୁ ମିଳିଛି  । ପୋଲିସର ପେଟ୍ରୋଲିଂ ଭ୍ୟାନ୍ ଆସିଥିଲା,ଦେଖିଥିଲା କ’ଣ ଚାଲିଛି । କିନ୍ତୁ କିଣା ବିକା ସେମିତି ଚାଲିଥିଲା । ଯେମିତି କରୋନା ପୁରୀକୁ ପ୍ରବେଶ କରିନାହିଁ କି କେବେ କରିବ ନାହିଁ ।

ସେପଟେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଦ ଦୋକାନ ଆଗରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବାପୁଜୀନଗର, ରସୁଲଗଡ଼, ସିଆରପି, ଡମଣା ପରି ବିଭିନ୍ନ ସ୍ଥାନରେ ମଦ ଦୋକାନ ଆଗରେ ସାମାଜିକ ଦୂରତା ନିୟମର ଉଲଙ୍ଘନ କରିଛନ୍ତି ଲୋକେ। ଡମଣା ମଦ ଦୋକନ ଆଗରେ ପ୍ରବଳ ଭିଡ଼ ଜମିଥିଲା । ଏନେଇ ଖବର ପ୍ରସାରଣ ପରେ ପୋଲିସ ଦୋକାନ ବନ୍ଦ କରିଥିଲା । ସେହିପରି ବାପୁଜୀନଗର କାଉଣ୍ଟର ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଇଛନ୍ତି । ତେବେ କାଉଣ୍ଟରରୁ ମଦ କିଣିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଏହାପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଦୋକାନ ବନ୍ଦ କରାଯାଇଛି।

ଏସବୁ ଦେଖିଲେ ଲାଗୁଛି ଦୋକାନୀ ବିକିବା ପାଇଁ ବ୍ୟାକୁଳ ଓ ଗ୍ରାହକ ପିଇବା ପାଇଁ ତରବର । ଆଉ ତାରି ଭିତରେ ଲକଡାଉନକୁ ମାନୁଥିବା,ସାମାଜିକ ଦୂରତାକୁ ସମ୍ମାନ ୯୦ ପ୍ରତିଶତ ଲୋକଙ୍କ ସୁରକ୍ଷାକୁ ଏହି ୧୦ ପ୍ରତିଶତ ବିପଦରେ ପକାଇ ଦେଉଛନ୍ତି । ମଦ ପିଇବା ପାଇଁ ବିକଳ ହେଉଥିବା ଏହି ୧୦ ପ୍ରତିଶତଙ୍କ ପାଇଁ ଆଗକୁ ଯଦି ସ୍ଥିତି ଖରାପ ହୁଏ,ସଂକ୍ରମିତଙ୍କ ସଂଖ୍ୟା ବଢେ ତେବେ ସେହି ବିକଳ ସ୍ଥିତି ପାଇଁ କିଏ ଦାୟୀ ରହିବ ?

Leave a Reply