ନବରଙ୍ଗପୁରରେ ଲୁଣକୁ ନେଇ ଉଡ଼ିଲା ଗୁଜବ, ଲକଡାଉନ ଭାଙ୍ଗି ଲୁଣ ପାଇଁ ଭିଡ଼
1 min readନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଲୁଣ କଳାବଜାରୀ । ଲୁଣ ବଜାରରେ ନମିଳିବା ନେଇ ଦୁଇଦିନ ହେଲା ନବରଙ୍ଗପୁର ଜିଲ୍ଲାରେ ଗୁଜବ ସୃଷ୍ଟି ହୋଇଛି । ଏହାପରେ ଲୁଣ କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି। ଲୋକ ଏହି ଗୁଜବ ଶୁଣିବା ପରେ ଲୁଣ କିଣିବାକୁ ବଜାରରେ ଗହଳି ଜମାଇଛନ୍ତି । ବିଶେଷକରି ଗାଁର ଦୋକାନୀମାନେ ଅଧିକ ପରିମାଣର ଲୁଣ କିଣି ନେଉଥିବା ଦେଖିବାକୁ ମିଳୁଛି । ଏପରିକି ଲୁଣ କିଣିବା ବେଳେ ଲୋକ ସାମାଜିକ ଦୂରତା ଭୁଲି ଯାଉଛନ୍ତି ।
ଲୁଣ ଟ୍ରକ ଗୋଦାମ ଆଗରେ ଲାଗିବା ପରେ ଭିଡ଼ ଜମୁଛି । ହୋଲସେଲର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟୀମାନେ ଟ୍ରକ, ପିକ୍ଅପ୍ ଭ୍ୟାନ୍ ଓ ଅଟୋରେ ଲୁଣ ବୋହି ନେଉଛନ୍ତି । ଫଳରେ ଲୁଣ ଦାମ ବଢିବାରେ ଲାଗିଛି । ଉମରକୋଟ, ରାଇଘର, ଝରିଗାଁ, ଚନ୍ଦାହାଣ୍ଡିରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।
ସେପଟେ ଲୁଣ ଯେଥେଷ୍ଟ ପରିମାଣରେ ମହଜୁଦ ଥିବା ହୋଲସେଲ ବ୍ୟବସାୟୀ କହିଛନ୍ତି । ସେପଟେ ଉଭୟ ରାଇଘର ଓ ଉମରକୋଟର ସ୍ଥିତି ଅନୁଧ୍ୟାନ କରିଛନ୍ତି ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସରକାର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବା ଲୋକଙ୍କୁ ସଚେତନ କରାନ୍ତୁ ବୋଲି ପ୍ରଦୀପ ମାଝୀ କହିଛନ୍ତି।
ବର୍ତ୍ତମାନ ସମୟରେ ନବରଙ୍ଗପୁର ଠାରେ ୨୫ କିଲୋ ଲେଖାଏଁ ୧୦୦୦ ବସ୍ତା ଲୁଣ ଉମରକୋଟ ଠାରେ ମହଜୁଦ ଅଛି। ସେଥିମଧ୍ୟରୁ ଆଜି ରାଇଘର, ଝରିଗାଁ ଓ ଡ଼ାବୁଗାଁକୁ ୨୦୦ ବସ୍ତା ଲେଖାଏଁ ପଠାଇ ଦିଆଯିବ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଆତଙ୍କିତ ହୁଅନ୍ତୁ ନାହିଁ। ଗୁଜବ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
— Ranendra Pratap Swain (@rajaaswain) May 12, 2020
ଅନ୍ୟପକ୍ଷରେ ନବରଙ୍ଗପୁରରେ ଲୁଣ ଅଭାବ ଗୁଜବକୁ ଖାରଜ କରି ଦେଇଛନ୍ତି ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଜିଲ୍ଲାରେ ଯଥେଷ୍ଟ ପରିମାଣରେ ଲୁଣ ରହିଛି। ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ସେ ମଧ୍ୟ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ।