ନାମ ପଞ୍ଜିକରଣ କଲେ ବୋଲି କରୋନା ଯୋଦ୍ଧାଙ୍କୁ ଆକ୍ରମଣ

ନୟାଗଡ଼: କରୋନା ଯୋଦ୍ଧାଙ୍କୁ ସାରା ଦେଶ ସନମାନ ଜଣାଉଛି । କାରଣ ସେମାନେ ପ୍ରତ୍ୟେକଟି ସମୟରେ ଆଗରେ ରହି କରୋନା ସହ ଯୁଦ୍ଧ କରୁଛନ୍ତି । କିନ୍ତୁ କିଛି ସ୍ଥାନରେ କରୋନା ଯୋଦ୍ଧାଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି । ସେ ଡାକ୍ତର ହୁଅନ୍ତୁ କି ଆଶା କର୍ମୀ । ସମସ୍ତେ ଲୋକଙ୍କ ଆକ୍ରୋସର ଶିକାର ହେଉଛନ୍ତି । ନୟାଗଡ଼ ବିନୋଦପଡାରୁ ଆସିଛି ଏଭଳି ଅଭିଯୋଗ । ଗୋଟିଏ ଜାଗାରେ ଜଣେ ସରପଞ୍ଚଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଆଉ ଗୋଟିଏ ସ୍ଥାନରେ ଜଣେ ଆଶା କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।
ନାମ ପଞ୍ଜିକରଣକୁ ନେଇ ରଣପୁର ବ୍ଲକ ବୃନ୍ଦାବନପୁର ପଞ୍ଚାୟତର ବିନୋଦପଡ଼ା ଗାଁରେ ଆଶା କର୍ମୀଙ୍କ ଉପରେ ଆକ୍ରମଣର ଅଭିଯୋଗ ହୋଇଛି । ଜଣେ ଯୁବକ ଭୁବନେଶ୍ୱରରୁ ଫେରି ନାମ ପଞ୍ଜିକରଣ କରୁଥିବା ବେଳେ ଯୁବକଙ୍କ ବାପା ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏନେଇ ଆଶା କର୍ମୀ ଜଣକ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସେହିଭଳି ସ୍କୁଲ ଗୃହର ମରାମତି ନେଇ ସେହି ବ୍ଲକର ଲୋଧାଚୁଆ ପଞ୍ଚାୟତର ସରପଞ୍ଚଙ୍କୁ ଆକ୍ରମଣ କରାଯାଇଛି । ରାଜନଗର ସ୍କୁଲଗୃହକୁ କ୍ୱାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରିବା ପାଇଁ ସେଠାରେ ଗୃହର ମରାମତି କାମ ଚାଲୁଥିଲା । ସେହି ସମୟରେ କିଛି ଯୁବକ ଆସି ସରପଞ୍ଚଙ୍କୁ ଆକ୍ରମଣ କରିଥିବା ରଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।