କରୋନା ଆକ୍ରାନ୍ତରେ ଦୁଇ ବିଏସ୍ଏଫ୍ ଯବାନ ମୃତ, ୨୩୦ଟି ସକ୍ରିୟ ମାମଲା

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ଦୁଇ ଜଣ ଯବାନ କରୋନା ଆକ୍ରାନ୍ତ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ବିଏସ୍ଏଫ୍ ପକ୍ଷରୁ ଗୁରୁବାର ଏକ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି । ବିଏସ୍ଏଫ୍ ଏକ ବିବୃତ୍ତି ଜାରି କରି କହିଛି ଯେ, ଚିକିତ୍ସା ସମୟରେ ଜଣେ ଯବାନ କରୋନା ସଂକ୍ରମିତ ହୋଇଥିଲେ । ମେ ୪ରେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଜଣେ ଯୁବାନଙ୍କର ମୃତ୍ୟୁ ହୋଇଥିଲା । ଏହି ଯବାନଙ୍କୁ ୩ ମେ’ରେ ଏଠାରେ ଭର୍ତ୍ତି କରାଯାଇଥିଲା ।
ବିବୃତ୍ତିରେ କୁହାଯାଇଛି ଯେ, ଆରମ୍ଭରୁ ଯବାନଙ୍କୁ ସାଧାରଣ ୱାର୍ଡରେ ଭର୍ତ୍ତି କରାଯାଇଥିଲା, ପରେ ୪ ମେ’ରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଯବାନଙ୍କ ମୃତ୍ୟୁ ପରେ ତାଙ୍କ କରୋନା ପରୀକ୍ଷା କରାଯାଇଥିଲା। ବୁଧବାର ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି ।
ବିଏସଏଫ ଯବାନଙ୍କ ମୃତ୍ୟୁକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ବିଏସ୍ଏଫ୍ର ଦୁଇ ବୀର ଯବାନଙ୍କ ମୃତ୍ୟୁରେ ଗଭୀର ଯନ୍ତ୍ରଣା ଅନୁଭବ କରିଛନ୍ତି । ତାଙ୍କର ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଶାହ । ଏହାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଭଗବାନ ସେମାନଙ୍କୁ ଏହି ଦୁଃଖକୁ ସାମ୍ନା କରିବାକୁ ଶକ୍ତି ଦିଅନ୍ତୁ । ଓମ୍ ଶାନ୍ତି ଶାନ୍ତି ବୋଲି କହିଛନ୍ତି ଶାହ ।
ବର୍ତ୍ତମାନ ସୁଦ୍ଧା ୧୯୫ ଜଣ ବିଏସ୍ଏଫ୍ ଯବାନ କରୋନା ଆକ୍ରାନ୍ତ ହୋଇସାରିଛନ୍ତି । ଆଜି ୬୪ଟି ନୂଆ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇ ଜଣ ଯବାନ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି, ଏବେ ୨୩୦ଟି ସକ୍ରିୟ ମାମଲା ରହିଛି।