ବିଶାଖାପଟନମ୍ ରେ ଗ୍ୟାସ ଲିକ୍ ଘଟଣା: କରୋନା ଭାଇରସ ବ୍ୟାପିଥିବା ଭାବି ଦୌଡ଼ିଥିଲେ ଲୋକ

1 min read

ବିଶାଖାପଟନମ୍: ରାତି ପ୍ରାୟ ତିନିଟା ହୋଇଥିଲା । ବିଶାଖାପାଟନମର ନାଇଡୁ ଥୋଟା ଅଞ୍ଚଳରେ ଲୋକମାନେ ଗଭୀର ନିଦରେ ଶୋଇଥିଲେ । ତେବେ ରାତି ଅଧରେ ହଠାତ୍ କିଛି ଲୋକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପ୍ରଥମେ ଲାଗୁଥିଲା ଯେ କରୋନା ଜୀବାଣୁ ବାୟୁରେ ବ୍ୟାପିଯାଇଛି । ଛାତ ଉପରେ ଶୋଇଥିବା ଲୋକମାନେ ଭୟବୀତ ହୋଇ ଘର ଭିତରକୁ ପ୍ରବେଶ କରିଥିଲେ । କବାଟ ଏବଂ ଝରକା ବନ୍ଦ କରିଦେଇଥିଲେ । ଯେତେବେଳେ ନିଶ୍ୱାସ ନେବାରେ ଅଧିକ ଅସୁବିଧା ହେଲା ସେତେବେଳେ ଲୋକମାନେ ବାଧ୍ୟହୋଇ ବାହାରକୁ ଆସିଥିଲେ ।

ପରବର୍ତ୍ତୀ ସମୟରେ ଜାଣିବାକୁ ମିଳିଲାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ କେ ଆରଏସ୍ ଭେଙ୍କଟାପୁରମ୍ ଠାରେ ଥିବା ଏଲଜି ପଲିମର ଇଣ୍ଡଷ୍ଟ୍ରିର ଏକ ଫାର୍ମା କମ୍ପାନୀରେ ରାସାୟନିକ ଗ୍ୟାସ୍ ଲିକ୍ ହୋଇଛି । ଏହା ପରେ ସମଗ୍ର ସହରରେ ଭୟର ବାତାବରଣ ଦେଖାଦେଇଛି | ପାଖାପାଖି ୫ ଟି ଗାଁକୁ ବ୍ୟାପିଯାଇଥିଲା ଏହି ବିଷାକ୍ତ ଗ୍ୟାସର ପ୍ରକୋପ । ପରିସ୍ଥିତି ଏପରି ହୋଇଥିଲା ଯେ ୫ଟି ଗାଁକୁ ଖାଲି କରାଯିବା ସହ ସିଲ୍‌ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବିଷାକ୍ତ ଗ୍ୟାସ ଲିକ୍‌ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ଏଥିରେ ପ୍ରାୟ ୫ ହଜାର ଲୋକ ଅସୁସ୍ଥ  ହୋଇଥିବା ମଧ୍ୟ ସୂଚନା ରହିଛି ।  ୩ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା ଗ୍ୟାସର ପ୍ରକୋପ । ଲୋକଙ୍କର ମୁଣ୍ଡ ବିଧା ହେବା ସହ ପ୍ରବଳ ବାନ୍ତି ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସ୍ଥାନୀୟ ପ୍ରଶାସନ ତରଫରୁ ସ୍ଥିତି ଉପରେ ନଜର ରଖାଯାଇଛି ।

ଗୋପାଳପଟନମର ସର୍କଲ ଇନ୍ସପେକ୍ଟରଙ୍କ ସୂଚନା ଅନୁଯାୟୀ, ପାଖାପାଖି ୫୦ ଜଣ ଲୋକ ରାସ୍ତାରେ ବେହୋସ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏମିତି ସେହି ଅଞ୍ଚଳକୁ ପହଞ୍ଚିବା କଷ୍ଟକର ହୋଇପଡ଼ିଥିଲା ।

Leave a Reply