ସୁପ୍ରିମକୋର୍ଟରେ ପହଞ୍ଚିଲା ବୟଜ୍‌ ଲକର ରୁମ୍‌ ମାମଲା: ଅଭିଭାବକଙ୍କୁ ଦାୟୀ କଲେ ସୋନମ କପୁର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଛି ବୟଜ୍‌ ଲକର ରୁମ୍‌ ମାମଲା । ଚିଠି ମାଧ୍ୟମରେ ପିଟିସନ୍‌ ଦାଖଲ ସହ ମାମଲାକୁ ଗ୍ରହଣ କରିବାକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ଗୁହାରି ହୋଇଛି । ଏହି ମାମଲା କେବଳ ଗୋପନୀୟତା ନୁହେଁ ବରଂ ମହିଳାଙ୍କ ସୁରକ୍ଷା ସହ ମଧ୍ୟ ଜଡ଼ିତ ବୋଲି ଆବେଦନରେ ଦର୍ଶାଯାଇଛି । ସୁପ୍ରିମକୋର୍ଟର ୩ ଓକିଲ ଚିଠି ଲେଖି ବୟଜ୍‌ ଲକର ରୁମ୍ ମାମଲାର ଶୁଣାଣି କରବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସୁପ୍ରିମକୋର୍ଟଙ୍କ ଓକିଲ ଆନନ୍ଦ ବର୍ମା, କୌସ୍ତୁବ ପ୍ରକାଶ ଏବଂ ଶଭାଙ୍ଗୀ ଜୈନଙ୍କ ପକ୍ଷରୁ ଚିଠି ମାଧ୍ୟମରେ ପିଟିସନ୍‌ ଦାଖଲ କରାଯାଇଛି । ସୋସିଆଲ୍ ମିଡିଆ ପ୍ଳାଟଫର୍ମ ଲୋକମାନଙ୍କୁ ପରସ୍ପର ସହ ଯୋଡ଼ି ରଖିଥାଏ । କିନ୍ତୁ ବୟଜ୍ ଲକର ରୁମ୍ ମାମଲା ଏହା ପ୍ରମାଣିତ କରୁଛି ଯେ, ସୋସିଆଲ୍ ମିଡିଆ ପ୍ଳାଟଫର୍ମ ମହିଳାଙ୍କ ପ୍ରତି ଅଭ୍ରଦ ଆଚରଣ କରିବାକୁ ବ୍ୟବହାର କରାଯାଏ ।ଏହା ଦ୍ୱାରା କାହାକୁ ମଧ୍ୟ ଅତି ସହଜରେ ଧମକ୍‌ ଦିଆଯାଇପାରୁଛି ଏବଂ ଏହି ପ୍ଳାଟଫର୍ମ ମାଧ୍ୟମରେ ଜଣେ ଅନ୍ୟ ଜଣଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଦେଉପାରୁଛନ୍ତି ବୋଲି ପିଟିସନ୍‌ରେ ଉଲ୍ଲେଖ ରହିଛି ।

ସୋସିଆଲ୍ ମିଡିଆ ପ୍ଳାଟଫର୍ମରେ ବୟଜ୍ ଲକର ରୁମ୍‌ ନାମରେ ଏକ ଗ୍ରୁପ ଚାଲିଛି । ଯାହାକୁ କିଛି ଟିନ୍‌ ଏଜର ପିଲାମାନେ ଚଲାଉଛନ୍ତି । ଏହି ପିଲାମାନେ ଦିଲ୍ଲୀର ପ୍ରଖ୍ୟାତ ସ୍କୁଲର । ସେମାନେ ଏହି ଗ୍ରୁପ୍‌ରେ ଛାତ୍ରୀମାନଙ୍କ କିଛି ଆପତ୍ତିଜନକ ଫଟୋ ସେୟାର କରିଯାଇଛି । ଏଥିସହିତ ସେହି ଗ୍ରୁପରେ ନାବାଳକ ଛାତ୍ରମାନେ ଛାତ୍ରୀମାନଙ୍କ ସମ୍ୱେଦନଶୀଳ ଅଙ୍ଗ ବିଷୟରେ ଆପତ୍ତିଜନକ କଥାବାର୍ତ୍ତା କରୁଛନ୍ତି । ଯେଉଁଥିରେ ଗ୍ରୁପର ସଦସ୍ୟ ଥିବା ଛାତ୍ରମାନେ ଝିଅମାନଙ୍କୁ କିଭଳି ହିଂସ୍ରଭାବେ ଉପଭୋଗ କରିବେ ସେ ନେଇ ପରସ୍ପର ମଧ୍ୟରେ ଆଲୋଚନା କରିଛନ୍ତି । ଏଭଳି କି ଗ୍ରୁପରେ ଗ୍ୟାଙ୍ଗ୍‌ ରେପ୍ ଚର୍ଚ୍ଚା ମଧ୍ୟ ହୋଇଛି । ଏବଂ ସମ୍ପୃକ୍ତ ଛାତ୍ରୀଙ୍କ ଫଟୋକୁ ମଧ୍ୟ ଅନ୍‌ଲାଇନ୍‌ରେ ଲିକ୍‌ କରାଯିବ ବୋଲି ଧମକ ଦିଆଯାଇଛି ।

ଆବେଦନକାରୀ କୋର୍ଟଙ୍କୁ ଗୁହାରି କରିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ଭୟଙ୍କର । ଏହି ଘଟଣା ନା କେବଳ ବ୍ୟକ୍ତିଗତ ଗୋପନୀୟତା ସମ୍ପର୍କିତ ଏହା ମହିଳାଙ୍କ ସୁରକ୍ଷା ସହିତ ମଧ୍ୟ ଜଡ଼ିତ । ସେମାନେ ଯେଉଁ ଭଳି କାଣ୍ଡ କରିଛନ୍ତି ତଦ୍‌ନୁଯାୟୀ ଆଇଟି ଆକ୍ଟ ୬୭ ଏବଂ ୬୭ କ, ଆଇପିସିର ଧାରା ୫୦୬, ୫୦୭ ଓ ୫୦୯ ଅନୁଯାୟୀ ମାମଲା ହେବା ଉଚିତ୍‌ ।

ତେବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ କପୁର । ସେ ଛାତ୍ରମାନଙ୍କ ଏଭଳି କାମ ପାଇଁ ଅଭିଭାବକଙ୍କୁ ଦୋଷ ଦେଇଛନ୍ତି ।

Leave a Reply