ସର୍ବପ୍ରଥମେ କରୋନା ଭାକ୍ସିନ ତିଆରି କରି ଦୁନିଆ ଉପରେ ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହୁଁଛି ଚୀନ
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାକୁ ଏବେ ସାରା ବିଶ୍ୱର ଅନେକ ଦେଶ ରେସ୍ରେ ଅଛନ୍ତି । ହେଲେ ଚାଇନା ଯଦି ଏହି ରେସ୍ରେ ଆଗେଇ ଯାଏ ତେବେ ସେ ଅର୍ଥିକ ଦୃଷ୍ଟିରୁ ସାରା ବିଶ୍ୱକୁ ଲୁଟ୍ କରିବା ଆରମ୍ଭ କରିବ । ଏହା ସହ ନିଜର କୁଟନୈତିକ ଫାଇଦା ପାଇଁ ତାହା ବ୍ୟବହାର କରିବ । ଏନେଇ ଆମେରିକା ଆଶଙ୍କା ପ୍ରକାଶ କରିଛି ।
ଦୁନିଆର ଅନେକ ଦେଶ ପରସ୍ପର ସହ ତଥ୍ୟ ଆଦାନ ପ୍ରଦାନ କରି ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ଉପରେ କାର୍ଯ୍ୟ କରୁଥିବା ବେଳେ ଆମେରିକା ଏବଂ ଚୀନ୍ ନିଜେ ଏକାକୀ ନିଜ ଦମରେ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି । ପଲିଟିକୋ ରିପୋର୍ଟ ଅନୁଯାୟୀ ଆମେରିକାର ଜାତୀୟ ସୁରକ୍ଷା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି, ସେମାନେ (ଚୀନ୍) ଜାଣନ୍ତି ଯେ ପ୍ରଥମେ ଯିଏ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବ ସେହି ଦେଶ ସମ୍ପୂର୍ଣ୍ଣ ବିଶ୍ୱ ଉପରେ ରାଜ୍ କରିବ ।
ପେଣ୍ଟାଗନ୍ ଏବଂ ସିଆଇଏର ପୂର୍ବତନ ଅଧିକାରୀ ମ୍ୟାଟ୍ କ୍ରୋଏନିଗ୍ କହିଛନ୍ତି, ଚାଇନାରୁ ମିଳୁଥିବା ସହାୟତା ପଛରେ ଅନେକ ସମୟରେ କିଛି ନା କିଛି ଅନ୍ୟ ସ୍ୱାର୍ଥ ଥାଏ । ତେଣୁ, ଭ୍ୟାକ୍ସିନ ପ୍ରସ୍ତୁତ କରିବା ପରେ ସେ ଏହା ଦ୍ୱାରା ନିଜର ପ୍ରଭାବ ବିସ୍ତାର ଏବଂ ଆମେରିକାକୁ ପଛକୁ ଠେଲିବା ପାଇଁ ଚେଷ୍ଟା କରିପାରେ । ଏପ୍ରିଲରେ ଚୀନ୍ କହିଥିଲା ଯେ କରୋନା ଭ୍ୟାକ୍ସିନ୍ର ପ୍ରଥମ ପରୀକ୍ଷଣ କିଛି ମାତ୍ରାରେ ସଫଳ ରହିଛି । ବଡ କଥା ହେଉଛି କରୋନା ଜୀବାଣୁ ଚାଇନାରୁ ହିଁ ବ୍ୟାପିଛି । ତେଣୁ ଏହା ସମ୍ଭବ ଯେ ଚୀନ୍ ଅନ୍ୟ ଦେଶ ତୁଳନାରେ ଟିକା ପ୍ରସ୍ତୁତ କରିବା କାର୍ଯ୍ୟ ପ୍ରଥମେ ଆରମ୍ଭ କରିସାରିଛି । ଏଥିସହ ବୁହାନରୁ କରୋନା ବ୍ୟାପିଥିବାରୁ ସାରା ବିଶ୍ୱରୁ ଏନେଇ ପ୍ରଶ୍ନ ଉଠିଛି । ଏଭଳି ପରିସ୍ଥିତିରେ ଯଦି ଚୀନ୍ ପ୍ରଥମେ ଭ୍ୟାକ୍ସିନ୍ ପ୍ରସ୍ତୁତ କରେ, ତେବେ ତାହା ଅନ୍ୟ ଦେଶକୁ ଯୋଗାଇ ନିଜର ଭାବମୂର୍ତ୍ତିରେ ଉନ୍ନତି ଆଣିବା ପାଇଁ ମଧ୍ୟ ଚେଷ୍ଟା କରିବ ।
ତେବେ ଆମେରିକାର ଜାତୀୟ ସୁରକ୍ଷା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ, ଭ୍ୟାକ୍ସିନ୍ ଉତ୍ପାଦନକୁ ନେଇ ଚୀନ୍ ଏପର୍ଯ୍ୟନ୍ତ କୌଣସି ସଫଳତା ପାଇନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ‘ ଚାଇନା ଅନେକ ସମୟରେ ଅନ୍ୟର ରିସର୍ଚ୍ଚ ଚୋରି କରିବାକୁ ଚେଷ୍ଟା କରେ ।’ ପୂର୍ବରୁ ଏଭଳି ନଜିର ମଧ୍ୟ ରହିଛି ।
ଯେଉଁ ଦେଶ ପ୍ରଥମେ ଭ୍ୟକ୍ସିନ୍ ପ୍ରସ୍ତୁତ କରିବ ସେ ନିଜର କୂଟନୈତିକ ପ୍ରଭାବ ଅପେକ୍ଷା ଅର୍ଥିକ ସ୍ଥିତିକୁ ସୁଦୃଢ଼ କରିବାକୁ ଚେଷ୍ଟା କରିବ । ଏହାସହ ନିଜର ଲୋକଙ୍କୁ ଏହି ରୋଗରୁ ମୁକ୍ତ କରିବାକୁ ଚେଷ୍ଟା କରିବ । ଏହା ଦ୍ୱାରା ସେହି ଦେଶର ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ବାଟ ଖୋଲିଯିବ ।
ଆହୁରି ମଧ୍ୟ ପ୍ରଶ୍ନ ଉଠିଛି ଯେ, ଚୀନ୍ ଯଦି ପ୍ରଥମେ ଭ୍ୟାକ୍ସିନ୍ ପ୍ରସ୍ତତ କରିବ ତେବେ ସେହି ଭ୍ୟାକ୍ସିନ୍ ଉପରେ ଅନ୍ୟ ଦେଶମାନେ କେତେ ବିଶ୍ୱାସ କରିପାରିବେ ? କରୋନା ସମୟରେ ଚୀନ୍ ପକ୍ଷରୁ ବିଭିନ୍ନ ଦେଶକୁ ମେଡିକାଲ କିଟ୍ ପଠାଯାଇଥିଲା । ଯାହାକି ବହୁତ ଖରାପ କ୍ୱାଲିଟିର ରହିଥିଲା । ଏନେଇ ଅନେକ ଦେଶ ଅଭିଯୋଗ ମଧ୍ୟ କରିଛନ୍ତି ।