ମରିଗଲା ମାନବିକତା: କରୋନା ସନ୍ଦେହରେ ହସ୍ପିଟାଲ ଚିକିତ୍ସା କଲାନି,ଘର ମାଲିକ ଘର ଭିତରକୁ ମୃତଦେହ ଛାଡିଲେନି !
ଭୁବନେଶ୍ୱର: ଏକ ଅନିଶ୍ଚିତ ମୃତ୍ୟୁର ଆଶଙ୍କା ମାନବିକତାକୁ ମାରି ଦେଉଛି କି ? କରୋନାର ଆତଙ୍କ ଭିତରେ ଏ ପ୍ରଶ୍ନର ଉତ୍ତର ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ସଂକ୍ରମଣର ଆଶଙ୍କା କରି ମୃତ୍ୟୁ ସହ ସଂଘର୍ଷ କରୁଥିବା ହୃଦରୋଗୀଙ୍କୁ ବି ଫେରାଇ ଦେଉଛି ହସପିଟାଲ୍ । ରାସ୍ତାରେ ମରି ଯାଉଛି ରୋଗୀ । ଆଉ ରାତିସାରା ରାସ୍ତାକଡ଼ରେ ପଡ଼ି ରହୁଛି ମୃତଦେହ । ଶେଷରେ ଅସହାୟ ଝିଅ ବାପାଙ୍କୁ ଦେଉଛି ମୁଖାଗ୍ନି। ଏହି ହୃଦୟହୀନ ଘଟଣାର ସାକ୍ଷୀ ପାଲଟୁଛି ସ୍ୱାର୍ଥପର ସ୍ମାର୍ଟସିଟି । ପୂରା ରିପୋର୍ଟ ପଢିଲେ , ଆପଣ ବି କହିବେ ସଂକ୍ରମଣର ଭୟ କଣ ଏତେ କଠୋର କରିପାରେ ମଣିଷକୁ ।
୨୭ ଏପ୍ରିଲ୍ ରାତି ପ୍ରାୟ ୧୨ଟା ଏଇଠୁ ଆରମ୍ଭ ହୁଏ ସଂଘର୍ଶର କାହାଣୀ । ବାପାର ନିଶ୍ୱାସ ବଞ୍ଚାଇବାକୁ ଝିଅ କରିଥିଲା ସଂଘର୍ଷ । ରାତି ଅଧରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କଲେ ବାପା ରବୀନ୍ଦ୍ର ନାୟକ । ଲକ୍ଡାଉନ୍ର ରାତିରେ କଣ କରିବେ କିଛି ଚିନ୍ତା କରି ପାରିଲେନି ସ୍ତ୍ରୀ ଓ ଝିଅ । ୧୦୮, ୧୦୪ ଓ ୧୦୦, ସବୁ ଜରୁରୀକାଳୀନ ନମ୍ବରରେ ଫୋନ୍ କଲେ ସୌମନିତା । ହେଲେ ସବୁଠି ନିରାଶ ହେବାକୁ ପଡିଲା । କାରଣ ରବୀନ୍ଦ୍ରଙ୍କ ଘର ଥିଲା ହଟସ୍ପଟ୍ ବମିଖାଲ୍ରେ । ସଂକ୍ରମଣର ଆତଙ୍କରେ କେହି ଆସିଲେନି ଘରକୁ । ଅନ୍ଧାର ରାତିରେ ବାପାଙ୍କୁ ବଂଚାଇବାକୁ ଝିଅ ଆରମ୍ଭ କଲା ସଂଘର୍ଷ । ଶେଷରେ ଏକ ଓଲା କ୍ୟାବ୍ ରାଜି ହୋଇଥିଲା ରବୀନ୍ଦ୍ରଙ୍କୁ ହସପିଟାଲ୍କୁ ନେବାକୁ । ପ୍ରଥମେ ପହଞ୍ଚିଥିଲେ ଲକ୍ଷ୍ମୀସାଗରସ୍ଥିତ ସନସାଇନ୍ ହସପିଟାଲ୍ରେ । ହେଲେ ବମିଖାଲ୍ ନାଁ ଶୁଣି ଫେରାଇ ଦେଇଥିଲେ ହସପିଟାଲ୍ କର୍ତ୍ତୃପକ୍ଷ । ଏହାପରେ ଯନ୍ତ୍ରଣାରେ ଛଟପଟ ବାପାଙ୍କୁ ନେଇ ସ୍ପର୍ଶ ହସପିଟାଲ୍ରେ ପହଞ୍ଚିଥିଲେ ସୌମନିତା । କିଛି ସମୟର ଚିକିତ୍ସା ପରେ ରବୀନ୍ଦ୍ରଙ୍କୁ ସେମାନେ ରେଫର୍ କରି ଦେଇଥିଲେ । ଆଉ କେୟାର ହସପିଟାଲ୍ ନେଇ ଆସିବା ବାଟରେ ପ୍ରାଣ ହରାଇଥିଲେ ରବୀନ୍ଦ୍ର।
ଏତିକିରେ ସରିନଥିଲା କରୁଣ କାହାଣୀର ହୃଦୟହୀନ ଅଧ୍ୟାୟ । ବାପାଙ୍କ ଶବ ଓ ବିଧବା ମାଆଙ୍କୁ ନେଇ ଝିଅ ପହଞ୍ଚିଥିଲେ ନିଜ ଭଡ଼ାଘରକୁ । ହେଲେ ମାଲିକ କିନ୍ତୁ ଶବକୁ ପୂରାଇ ଦେଇନଥିଲେ ଘରେ । ଶେଷରେ ଅନ୍ଧାର ରାତିରେ ରାଜଧାନୀର ରାସ୍ତାକଡ଼ରେ ମାଆଝିଅ ବସି ରହିଲେ। ଏପରିକି ସାହାଯ୍ୟ କରିବା ପରିବର୍ତ୍ତେ ପୋଲିସ୍ ମଧ୍ୟ ଦେଖାଇଥିଲା ନାଲି ଆଖି।
ପୁଅ ପାରଳାଖେମୁଣ୍ଡିରେ। ଘର ଯାଜପୁରରେ। କୁଆଡ଼େ ନେବେ ଶବକୁ । କେମିତି କରିବେ ସଂସ୍କାର । ଶେଷରେ ସତ୍ୟନଗର ଶ୍ମଶାନକୁ ନେଇଥିଲେ ସଂସ୍କାର ପାଇଁ । ପୁଅକୁ ଅପେକ୍ଷା ନକରି ଝିଅ ଦେଇଥିଲା ମୁଖାଗ୍ନି ।
ଏବେ ପ୍ରଶ୍ନ ଉଠୁଛି, କିଏ ମରିଗଲା ରାଜଧାନୀରେ। ଜଣେ ଅସହାୟ ଝିଅର ବାପା ନା ମଣିଷର ମାନବିକତା । ସ୍ୱାର୍ଥପର ସହର ତ ଶୋଇ ପଡିଥିଲା । ହେଲେ ଏ ସମ୍ବେନଶୀଳ ଘଟଣା ବ୍ୟବସ୍ଥାକୁ ମଧ୍ୟ ପ୍ରଶ୍ନ କରିଛି।