୬୦ ଘଣ୍ଟା ପାଇଁ ଶୋଇଯାଇଛନ୍ତି ୩ ଜିଲ୍ଲା: ପଢ଼ନ୍ତୁ ସଟ୍‌ଡାଉନ୍ ପରେ କେମିତି ରହିଛି ସ୍ଥିତି

1 min read

ବାଲେଶ୍ୱର/ଯାଜପୁର/ଭଦ୍ରକ: ୬୦ ଘଣ୍ଟା ପାଇଁ ଶୋଇଯାଇଛନ୍ତି ୩ ଜିଲ୍ଲା । ସଟ୍‌ଡାଉନ୍‌ ଭଦ୍ରକ, ବାଲେଶ୍ୱର ଓ ଯାଜପୁର । ସହର ବଜାରରେ ପୋଲିସ ପଇଁତରା ସାଙ୍ଗକୁ ଘଡିକି ଘଡି ଯାଞ୍ଚ । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡ଼ି ଦେଲେ ସବୁ ଠପ୍‌ । ସଟଡାଉନ କରି ପ୍ରଶାସନ ଜାରି ରଖିଛି ଟ୍ରାକିଂ ଓ ଟ୍ରେସିଂ । ସେପଟେ ଆଜି ଭଦ୍ରକରୁ ଆଉ ୫ ସଂକ୍ରମିତ ଚିହ୍ନଟ ପରେ ଜିଲ୍ଲାରେ ରୋଗୀ ସଂଖ୍ୟା ୧୬ ଛୁଇଁଛି ।

୫ ଦିନ ଭିତରେ ଏହି ୩ ଜିଲ୍ଲାରୁ ୩୩ କରୋନା ରୋଗୀ ଚିହ୍ନଟ ପରେ ସଟ୍‌ଡାଉନ୍‌ କଲେ ରାଜ୍ୟ ସରକାର । ଆଉ ଏହି ୬୦ ଘଣ୍ଟା ଭିତରେ ସଂକ୍ରମିତଙ୍କୁ ଟ୍ରାକ୍‌ ଓ ଟ୍ରେସ୍‌ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ରଣନୀତି । ଭଦ୍ରକରେ ଆଜି ଆଉ ୫ ରୋଗୀ ଚିହ୍ନଟ ପରେ ସଂଖ୍ୟା ୧୬ରେ ପହଞ୍ଚିଛି ।

ଜିଲ୍ଲା ପାଇଁ ନିଯୁକ୍ତ କରୋନା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ସଚିବ ସୁଶୀଲ କୁମାର ଲୋହାନୀ ଓ ଅତିରିକ୍ତ ପୋଲିସ ମୃହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରଶାସନ ସହ ଆଲୋଚନା କରିଛନ୍ତି । ବାସୁଦେବପୁର ସହ ଅନ୍ୟ କ୍ୱାଣ୍ଟେନମେଣ୍ଟ ଜୋନ ବୁଲି ପରିସ୍ଥିତି ତଦାରଖ କରିଛନ୍ତି । ଚାଲିଛି କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାକିଂ ।

ବାଲେଶ୍ୱରରେ ମଧ୍ୟ ସଟଡାଉନକୁ କଡ଼ାକଡ଼ି କରାଯାଇଛି । ପଶ୍ଚିମବଙ୍ଗକୁ ସଂଯ଼ୋଗ କରୁଥିବା ୩୭ଟି ରାସ୍ତାକୁ ବ୍ୟାରିକେଡରେ ସିଲ କରିଛି ପ୍ରଶାସନ । ୧୨ଟି ବ୍ଲକରେ ସଟଡାଉନକୁ କଡ଼ାକଡ଼ି ପାଳନ କରାଯାଉଛି । ସହରରେ ୪୩ ଔଷଧ ଦୋକାନ, ୧୦ ପେଟ୍ରୋଲ ପମ୍ପ, ୫ଟି ଢାବାକୁ ଖୋଲିବା ପାଇଁ ଅନୁମତି ମିଳିଛି । ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ସହରରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ନୀଳିଆବାଗ ଓ ବାଉଁଶପାଳ ଗାଁ ସମେତ ୧୨ଟି ବ୍ଲକରେ ସାନିଟାଇଜ କାମ ମଧ୍ୟ ଚାଲୁ ରହିଛି ।

ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀ କଣ୍ଟନମେଣ୍ଟ ଜୋନ ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି । ସୋର ଦେଇ ଯାଇଥିବା ଏନଏଚ-୧୬ରେ କଡା ଚେକିଂ କରାଯାଉଛି । ଏକକାଳୀନ ୭ଟି କାରରେ ୩୦ ଯାତ୍ରୀ ଯାତ୍ରା କରୁଥିବାବେଳେ ପୋଲିସ ପହଞ୍ଚି ତଦନ୍ତ କରିଛି । ସେମାନେ ଭେଲୋରରୁ କୋଲକାତା ଯାଉଥିଲେ ବୋଲି ସୂଚନା ମିଳିଛି । ବାଲେଶ୍ୱର ଏଯାଏଁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ସଟଡାଉନ ଯୋଗୁଁ ଶୋଇପଡିଛି ଯାଜପୁର । ଜରୁରୀକାଳୀନ ସାମଗ୍ରୀ ଛଡ଼ା ଜିଲ୍ଲାର ସବୁ ଦୋକାନ ବଜାର ବନ୍ଦ ରହିଛି । ବନ୍ଦ ହୋଇଛି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ । ଏସପିଙ୍କ ତତ୍ତ୍ୱାବଧାନରେ ୧୯ ଟି ଥାନାର ଅଧିକାରୀ ଓ କର୍ମଚାରୀ ୨୪ ଘଣ୍ଟା ସଜାଗ ରହିଛନ୍ତି । ଯାଜପୁରରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଜିଲ୍ଲା ଦେଇ ଯାଇଥିବା ୧୬ ଓ ୨୦ ନମ୍ବର ଏନଏଚର ବିଭିନ୍ନସ୍ଥାନରେ କଡ଼ାକଡ଼ି ଚେକିଂ କରାଯାଉଛି । ସେପଟେ ଜିଲ୍ଲାପାଳଙ୍କ ନେତୃତ୍ୱରେ ୧୦ଜଣ ବରିଷ୍ଠ ଅଧିକାରୀ କରୋନା ନିୟନ୍ତ୍ରଣ ପାଇଁ ପ୍ରାଣମୂର୍ଚ୍ଛ। ଉଦ୍ୟମ ଜାରି ରଖିଛନ୍ତି । ଚଣ୍ଡିଖୋଲ ଛକରେ ସବୁ ଦୋକାନ ବଜାର ବନ୍ଦ ରହିଛି । ପୋଲିସ କଡ଼ାକଡ଼ି ଯାଞ୍ଚ କରାଯିବା ସହିତ ପାଟ୍ରୋଲିଂ ଚାଲିଛି ।

Leave a Reply