ଲକଡାଉନ୍ ସମୟରେ ସିଙ୍ଗଡା ବିକି ଜେଲ୍ ଗଲେ ୨ଯୁବକ,କେଉଁଠି ଜାଣନ୍ତୁ
ଲକ୍ଷ୍ନୌ: ମହାମାରୀ ବିସ୍ତାର ନେଇ ସମଗ୍ର ଦେଶରେ ଲକଡାଉନ୍ ଚାଲିଛି । ଦେଶରେ ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ୨୧ଦିନିଆ ଲକଡାଉନ୍ ବୃଦ୍ଧି କରାଯିବ କି, ନାହିଁ ଆଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଙ୍ଗ୍ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଗୋଟିଏ ପଟେ ଦେଶକୁ ସୁରକ୍ଷିତ କରିବା ପାଇଁ ସରକାର ଗୋଟିକ ପରେ ଗୋଟିଏ ପଦକ୍ଷେପ ନେଉଥିବାବେଳେ କିଛି ଲୋକେ କଟକଣାକୁ ମାନୁନାହାନ୍ତି । ଉତ୍ତର ପ୍ରଦେଶରୁ ଆସିଥିବା ଗୋଟିଏ ଖବର ଆପଣଙ୍କୁ ଚକିତ କରିବ । ଏହି ଖବର କହୁଛି ଯେ, ଭାରତୀୟଙ୍କ ଭିତରୁ ଅନେକ ଏପର୍ଯ୍ୟନ୍ତ କରୋନାର ଭୟାବହତାକୁ ଅତି ହାଲୁକାରେ ନେଉଛନ୍ତି ।
ଲକ୍ଷ୍ନୌରେ ଲକଡାଉନ୍ ସମୟରେ ୨ ଜଣ ବ୍ୟକ୍ତି ସିଙ୍ଗଡା ବିକ୍ରି କରି ଗିରଫ ହୋଇଛନ୍ତି । ଘଟଣା ଏମିତି, ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦୁଇ ଜଣ ଯୁବକ ବୁଲିବୁଲି ସିଙ୍ଗଡା ବିକ୍ରି କରୁଥିବା ପୋଲିସ ନଜରକୁ ଆସିଥିଲା । ପୋଲିସ ତୁରନ୍ତ ସେମାନଙ୍କୁ ଗିରଫ କରିଥିଲା । ଗିରଫ ଯୁବକ ଦ୍ୱୟଙ୍କ ନାମ ହେଉଛି ବିରେନ୍ଦ୍ର କୁମାର ଓ ରାମ ବାବୁ ଶର୍ମା । ପୋଲିସ ଉଭୟଙ୍କ ବିରୋଧରେ ମାମାଲା ରୁଜୁ କରିଛି । ଏବେ ଦୁହେଁ ଗିରଫ ହୋଇ ଜେଲର ପବନ ଖାଉଛନ୍ତି।
ସୂଚନାଯୋଗ୍ୟ ଯେ,୧୮୯୭ର ମହାମାରୀ ଆଇନର ଧାରା ୩ ରେ ଉଲ୍ଲେଖ କରାଯାଇଛି ଯେ, ଯଦି କେହି ମାହାମାରୀ ଆଇନକୁ ଉଲ୍ଲଂଘନ କରନ୍ତି, ସରକାର / ଆଇନର ନିର୍ଦ୍ଦେଶ / ନିୟମ ଭାଙ୍ଗନ୍ତି, ତେବେ ତାଙ୍କୁ ଆଇପିସିର ଧାରା ୧୮୮ ଅନୁଯାୟୀ ଦଣ୍ଡ ଦିଆଯିବ । ୟୁପିରେ କରୋନା ଜୀବାଣୁ ରୋଗୀଙ୍କ ସଂଖ୍ୟା ୪୩୦କୁ ଅତିକ୍ରମ କରିଛି। ଚିକିତ୍ସା ପରେ ଏଠାରେ ୩୦ ରୁ ଅଧିକ ରୋଗୀ ସୁସ୍ଥ ହୋଇଥିବାବେଳେ ଚିକିତ୍ସା ସମୟରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।