spot_img

Latest Posts

ଆଜି ଆଲୋକର ପର୍ବ, ଜାଣନ୍ତୁ ଏହାକୁ ନେଇ କିଛି ପୌରାଣିକ କଥା…

ନନ୍ଦିଘୋଷ ବ୍ୟୁରୋ: ଆଜି ଆଲୋକର ପର୍ବ ଦୀପାବଳି । କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳୀ ପାଳନ କରାଯାଇଥାଏ । ପୁରଠାରୁ ପଲ୍ଲୀ ସବୁଠି ବେଶ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଏ ଏହି ଆଲୋକର ପର୍ବ। ଓଡ଼ିଶାରେ ଏହି ଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ଏହା ସହ ଏହି ଦିନ ମାଆ କାଳୀଙ୍କୁ ଆରାଧ୍ୟନା କରାଯାଇଥାଏ । ଘରେ ଘରେ ଦୀପ ଜାଳି, ବାଣ ଫୁଟାଇ, ପିଠାପଣା ଖାଇ ଏହି ଦିନକୁ ପାଳନ କରାଯାଏ । ଦୀପାବଳୀ ପାଳନ ନେଇ ନାନାପ୍ରକାର ପୁରାଣ ଓ ଲୋକକଥା ରହିଛି ।

କାହିଁକି ପାଳନ ହୁଏ ଦୀପାବଳି

  • ପୌରାଣିକ ମତାନୁଯାୟୀ, ଏହି ଦିନ ଭଗବାନ୍‌ ବିଷ୍ଣୁ ହିରଣ୍ୟକଶିପୁଙ୍କୁ ବଧ କରିଥିଲେ। ସେଥିପାଇଁ ଏହି ପର୍ବ ପାଳନ କରାଯାଏ। ଆଉ କେତେକ ମତ ଦିଅନ୍ତି, ଏହ ଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆବିର୍ଭାବ ହୋଇଥିଲା।
  • ସେହିପରି ଆହୁରି ମଧ୍ୟ କୁହାଯାଏ, ୧୪ ବର୍ଷ ବନବାସ ସାରି ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହି ଦିନକୁ ସ୍ମରଣୀୟ କରିବା ନେଇ ଏହାକୁ ଆଲୋକର ପର୍ବ ଭାବେ ପାଳନ କରାଯାଇଥାଏ।
  • ଦୀପାବଳିର ଗୋଟିଏ ଦିନ ପୂର୍ବରୁ ପ୍ରଭୁ ଶ୍ରୀକୃଷ୍ଣ ନାରକାସୁରକୁ ବଧ କରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାର କରିଥିବାରୁ ଏହାର ପର ଦିନକୁ ଦୀପାବଳି ଭାବେ ପାଳନ କରାଯାଏ।
  • ଅନ୍ୟ କେହି ମତ ଦିଅନ୍ତି, ରାକ୍ଷସମାନଙ୍କୁ ବଧ କରିବା ପରେ ଯେତେବେଳେ ମହାକାଳୀଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା ଓ ସେ ଉଗ୍ର ରୂପ ଧାରଣ କରି ସୃଷ୍ଟି ସଂହାର ଉଦ୍ଦେଶ୍ୟରେ ବାହାରିଥିଲେ, ସେତେବେଳେ ଶିବ ତାଙ୍କୁ ଅଟକାଇବା ପାଇଁ ତଳେ ଶୋଇ ପଡିଥିଲେ। ଏହାପରେ ତତ୍‌କ୍ଷଣାତ୍‌ ମହାକାଳୀ ଶାନ୍ତ ହୋଇ ଯାଇଥିଲେ। ତେଣୁ କାଳୀଙ୍କ ଶାନ୍ତ ରୂପ ମହାଲକ୍ଷ୍ମୀଙ୍କୁ ଏହି ଦିନଠାରୁ ପୂଜା ଆରମ୍ଭ କରାଯିବା ସହ ଦୀପାବଳି ରାତିରେ କାଳୀଙ୍କ ଉଗ୍ରରୂପକୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ। ତେଣୁ ଶାସ୍ତ୍ରୀୟ ମତ ଅନୁଯାୟୀ, ବିଭିନ୍ନ ପୌରାଣିକ କଥାକୁ ନେଇ ଦୀପାବଳି ଉତ୍ସବ ପାଳନ କରାଯିବାର ବିଧି ରହିଛି।

ଓଡ଼ିଶାରେ ଏହି ଦିନ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ତ ଦେଇସାରି କାଉଁରିଆ କାଠି ଜଳାଯାଇଥାଏ । ଏହି ଦିନକୁ ‘ପୟା ଅମାବାସ୍ୟା’ ବା ‘କାର୍ତ୍ତିକ ଅମାବାସ୍ୟା’ ମଧ୍ୟ କୁହାଯାଏ। ଦୀପାବଳି ଦିନ ସଂଧ୍ୟାରେ ମହାଳୟା ଶ୍ରାଦ୍ଧ ଦିଆଯାଏ ଓ ପିତୃପୁରୁଷଙ୍କୁ ପିଠା ଉପରେ ଦୀପ ଆଲୋକ ପ୍ରଦାନ କରାଯାଏ । ଏହାସହ ଭଗବାନଙ୍କୁ ପୂଜାର୍ଚ୍ଚନା କରି କାଉଁରିଆ କାଠିରେ ନିଆଁ ଜଳାଯାଇ ବଡ଼ବଡୁଆ ଡକାଯାଇଥାଏ । ବଡ଼ ବଡୁଆ ଡକା ସମୟରେ -‘ବଡବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ ଗଡଉଥାଅ ଉଚ୍ଚାରଣ କରାଯାଇଥାଏ । ଏହାପରେ ଲୋକେ ବାଣ ଫୁଟାଇ ପିଠା ଖାଇ ପାଳନ କରିଥାଆନ୍ତି  ଦୀପାବଳି ପର୍ବ ।

 

Latest Posts

Don't Miss