ନନ୍ଦିଘୋଷ ବ୍ୟୁରୋ : ଦୀପାବଳି ଆସିଲେ ସାରା ଦେଶ ଆଲୋକ ଓ ଆତସବାଜିରେ ଝଲସିଉଠେ। ଚାରିଆଡ଼େ ବାଣର ଶବ୍ଦ ଓ ରଙ୍ଗବେରଙ୍ଗ ଆଲୋକରେ ଉତ୍ସବମୁଖର ହୋଇଉଠେ ପରିବେଶ। କିନ୍ତୁ ଭାରତରେ ଏମିତି ଏକ ଗାଁ ରହିଛି, ଯେଉଁଠି ଗତ ୧୦୦ ବର୍ଷ ଧରି ଦୀପାବଳିରେ ଫୁଟୁନି ବାଣ। ବାଦୁଡ଼ିଙ୍କ ସୁରକ୍ଷା ପାଇଁ ଗ୍ରାମବାସୀ ନେଇଛନ୍ତି ଏଭଳି ଏକ ନିଆରା ନିଷ୍ପତ୍ତି।
ଏହି ଗାଁଟି ହେଉଛି ତାମିଲନାଡ଼ୁର ମୟିଲାଦୁଥୁରାଇ ଜିଲ୍ଲାର ପେରାମ୍ବୁର। ଗାଁରେ ଥିବା ‘ଭାଭାଲ ଥୋପ୍ପୁ’ ବା ବାଦୁଡ଼ି ବଗିଚାର ଏକ ପ୍ରାୟ ୧୫୦ ବର୍ଷ ପୁରୁଣା ବରଗଛରେ ବାସ କରନ୍ତି ଶହ ଶହ ବାଦୁଡ଼ି। ଏହି ବାଦୁଡ଼ିମାନଙ୍କୁ ବାଣର ପ୍ରଚଣ୍ଡ ଶବ୍ଦ ଓ ଧୂଆଁରୁ ସୁରକ୍ଷା ଦେବା ପାଇଁ ଗାଁ ଲୋକେ ପିଢ଼ି ପରେ ପିଢ଼ି ବାଣ ଫୁଟାଇବାରୁ ଦୂରେଇ ରହିଆସିଛନ୍ତି। ଚଳିତ ବର୍ଷ ମଧ୍ୟ ଏହି ପରମ୍ପରା ଜାରି ରହିବ। ବାଣ ଫୁଟାଇବା ପରିବର୍ତ୍ତେ ଗ୍ରାମବାସୀ ମାଟି ଦୀପ ଜାଳିବା ସହ ସ୍ଥାନୀୟ ମନ୍ଦିରରେ ପୂଜାପାଠ କରି ଦୀପାବଳି ପାଳନ କରିବେ।
କେବଳ ପେରାମ୍ବୁର ନୁହେଁ, ତାମିଲନାଡ଼ୁର କାଝୁପେରୁମ୍ପାକ୍କାମ୍ ଓ କିଟ୍ଟାମ୍ପାଲାୟାମ୍ ଭଳି ଅନ୍ୟ କେତେକ ଗାଁରେ ମଧ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ପରିବେଶ ସନ୍ତୁଳନ ରକ୍ଷାରେ ବାଦୁଡ଼ିଙ୍କ ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଫଳର ମଞ୍ଜି ବିସ୍ତାର କରିବା ସହ ପରାଗସଙ୍ଗମ ପ୍ରକ୍ରିୟାରେ ସହାୟତା କରିଥାନ୍ତି ସେମାନେ। ଫଳରେ ଜଙ୍ଗଲ ଓ ସବୁଜିମା ବୃଦ୍ଧିରେ ସେମାନଙ୍କ ଅବଦାନ ରହିଛି।
ସାଧାରଣତଃ ବାଦୁଡ଼ିମାନେ ଦିନବେଳେ ଗଛରେ ବିଶ୍ରାମ ନିଅନ୍ତି ଏବଂ ରାତିରେ ଖାଦ୍ୟ ଅନ୍ୱେଷଣରେ ବାହାରକୁ ଆସନ୍ତି। ଏଭଳି ସ୍ଥିତିରେ ବାଣର ପ୍ରଚଣ୍ଡ ଶବ୍ଦ ଓ ଧୂଆଁ ସେମାନଙ୍କ ଜୀବନ ଓ ସ୍ୱାଭାବିକ ପରିବେଶକୁ ପ୍ରଭାବିତ କରିପାରେ।
ତେଣୁ ଉତ୍ସବ ପାଳନ ସହ ନିରୀହ ଜୀବଜନ୍ତୁଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ପେରାମ୍ବୁର ଗ୍ରାମବାସୀ। ନିଜର ଖୁସି ପାଇଁ ଅନ୍ୟ ଜୀବଙ୍କ ଜୀବନକୁ ବିପଦରେ ନ ପକାଇବାର ଏହି ନିଆରା ପରମ୍ପରା ଆଜି ସମସ୍ତଙ୍କ ପାଇଁ ଏକ ବଡ଼ ବାର୍ତ୍ତା ସାଜିଛି।

