spot_img

Latest Posts

ଆମେରିକା: ଫ୍ଲୋରିଡାରେ ବ୍ୟବସାୟିକ ଜେଟ୍ ଦୁର୍ଘଟଣାଗ୍ରସ୍ତ, ଭୟଙ୍କର ବିସ୍ଫୋରଣରେ ୯ ମୃତ

ନନ୍ଦିଘୋଷ ବ୍ୟୁରୋ:  ଆମେରିକାର ଫ୍ଲୋରିଡାରେ ଏକ ଭୟଙ୍କର ବିମାନ ଦୁର୍ଘଟଣା। ନଅ ଜଣଙ୍କୁ ନେଇ ଯାଉଥିବା ଏକ ବ୍ୟବସାୟିକ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ନିଆଁ ଲାଗି ବିରାଟ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୯ ଜଣଙ୍କର ମୃତ୍ୟୁ ଘଟିଛି।

ରବିବାର ଦକ୍ଷିଣ ଫ୍ଲୋରିଡାର ପାମ୍ ବିଚ୍ କାଉଣ୍ଟିର ଏକ ଆବାସିକ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଲିଅରଜେଟ୍-୬୦ ବିମାନଟି ଆକାଶରୁ ଖସି ଏକ ରାସ୍ତାରେ ଧକ୍କା ହେବା ପରେ ନିଆଁରେ ଜଳି ଉଠିଥିଲା। ଦୁର୍ଘଟଣା ପରେ ଏହା ଏକ ବିରାଟ ଅଗ୍ନିଗୋଲାରେ ପରିଣତ ହୋଇଥିଲା। ବିମାନଟି ଟେକ୍ସାସର ଅଷ୍ଟିନ୍-ବର୍ଗଷ୍ଟ୍ରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରି ବାହାମାସ ଅଭିମୁଖେ ଯାଉଥିଲା। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଏହା ଏକ ଘରୋଇ ବିମାନ ଥିଲା। ତେବେ ବିମାନରେ କେଉଁମାନେ ଯାତ୍ରା କରୁଥିଲେ, ସେ ସମ୍ପର୍କରେ ସେ କୌଣସି ସୂଚନା ମିଳିନାହିଁ । ବିମାନର ଟେଲ୍ ନମ୍ବର N722BD ବୋଲି ସେ ସୂଚନା ଦେଇଛନ୍ତି।

ସୋସିଆଲ୍ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ କଏଦ ହୋଇଛି। ବିମାନଟି ଆକାଶରୁ ଖସି ରାସ୍ତାରେ ଧକ୍କା ହେବା ସହ ଏକ ବଡ଼ ବିସ୍ଫୋରଣ ଘଟିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରୁ ଘନ କଳା ଧୂଆଁ ଉଠୁଥିବା ବେଳେ ରାସ୍ତାରେ ଭଙ୍ଗା ଅଂଶ ବିଛାଡ଼ି ହୋଇ ପଡ଼ିଥିଲା।

ତେବେ ବିମାନଟି ଘରଗୁଡ଼ିକର ଅତି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ ଘରଗୁଡ଼ିକର କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଦୁର୍ଘଟଣାଟି ମିଲିଟାରୀ ଟ୍ରେଲ୍ ଏବଂ ଦଶମ ଆଭେନ୍ୟୁ ନର୍ଥ ନିକଟରେ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚିଥିଲେ।

ପାମ୍ ବିଚ୍ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ୱକୁ ବନ୍ଦ କରାଯାଇ ଯାନବାହନ ଚାଳକଙ୍କୁ ଉକ୍ତ ଅଞ୍ଚଳକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଦୁର୍ଘଟଣା ପରେ ନିକଟସ୍ଥ ଅଞ୍ଚଳରେ ପ୍ରାୟ ଦୁଇ ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

ବର୍ତ୍ତମାନ ଦୁର୍ଘଟଣାର କାରଣ ଏବଂ ଅନ୍ୟାନ୍ୟ ପାରିପାର୍ଶ୍ୱିକ ଦିଗକୁ ନେଇ ତଦନ୍ତ ଜାରି ରହିଛି।

Latest Posts

Don't Miss