ନନ୍ଦିଘୋଷ ବ୍ୟୁରୋ: ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର। ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓ ବନ୍ୟଜନ୍ତୁଙ୍କ ଆକର୍ଷଣ ସହିତ ଜଙ୍ଗଲ ସଫାରୀରେ ଵସି ଶିମିଳିପାଳ ଅଭୟାରଣ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା। ଶିମିଳିପାଳ ଅଭୟାରଣ୍ୟ କର୍ତୃପକ୍ଷଙ୍କ ପକ୍ଷରୁ ପିଠାଵଟା ଓ ଯଶିପୁର ଠାରେ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରାଯାଇଛି। ଚଳିତ ବର୍ଷ ଠାରୁ ସଫାରୀ ଗାଡ଼ିରେ ବସି ଶିମିଳିପାଳ ଅଭୟାରଣ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ। ଲୁଲୁଙ୍ଗ ଠାରେ ୧୦ ଟି ସଫାରୀ ରଖାଯାଇଥିବା ବେଳେ ସକାଳେ ଏଵଂ ଅପରାହ୍ନରେ ଦୁଇ ଥର ଏହି ସଫାରୀ ଗାଡ଼ିରେ ବସି ପର୍ଯ୍ୟଟକ ମାନେ ବନ୍ୟଜନ୍ତୁ ଏଵଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ସୁମିତ କର। ଶିମିଳିପାଳ ପ୍ରବେଶ କରିବାକୁ ଲୁଲୁଙ୍ଗ ପଟରୁ ୨୫ ଟି ଗାଡି ଓ ଯଶୀପୁର ପଟରୁ ୩୫ ଟି ଗାଡି ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ଚଳିତ ବର୍ଷ ମହିଳା ଓ ପୁରୁଷ ଉଭୟ ଗାଇଡ ର ବ୍ୟବସ୍ଥା କରାଯାଇଛି। ଫଳରେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ମଧ୍ୟ ରୋଜଗାରର ସୁଯୋଗ ଦିଆଯାଇଛି। ପର୍ଯ୍ୟଟକ ମାନେ ଯେପରି କିଛି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହିତ ଇଡିସି ମାଧ୍ୟମରେ ଭିନ୍ନ ଭିନ୍ନ ସ୍ଥାନରେ କ୍ୟାଣ୍ଟିନ ରଖାଯାଇଛି ।

