କୋଟିଆ ବିଜେପି ପାଇଁ ଅଗ୍ନିପରୀକ୍ଷାର ଘଡି; ବିଜେଡିର ଅଭିଯୋଗ, ଆନ୍ଧ୍ର ପାଖରେ କରିଛନ୍ତି ଆତ୍ମସମର୍ପଣ
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ଅସ୍ମିତା କଥା କହି ବିଜେପି ଶାସନକୁ ଆସିବା ପରେ ଓଡିଶାର ସୀମା ଅସୁରକ୍ଷିତ । ସ୍ଥିତି ଏପରି ହୋଇଛି କି ନଭେମ୍ବର ୫ ତାରିଖରେ ଆନ୍ଧ୍ର ଜୋରଜବରଦସ୍ତ କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି । ଯାହାକୁ ନେଇ ସାରା ରାଜ୍ୟରେ ତୀବ୍ର ବିରୋଧ ଦେଖାଦେଇଥିବାବେଳେ ରାଜ୍ୟ ସରକାର ଆନ୍ତରିକତା ଦେଖାଇ ନିର୍ବାଚନ ବନ୍ଦ କରାନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି । କାହିଁକି ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଥା ହେଉ ନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । କଂଗ୍ରେସ କହିଛି ବିଜେପି କେବଳ ଭାଷଣ ମାରେ ଓ ଫମ୍ପା ପ୍ରତିଶ୍ରୁତି ଦିଏ ।
କୋଟିଆରେ ଆନ୍ଧ୍ର ନିର୍ବାଚନ ତାରିଖ ପାଖେଇବାରେ ଲାଗିଛି । ଏହାକୁ ନେଇ ପ୍ରତିବାଦର ସ୍ବର ବେଳକୁ ବେଳ ବଳିୟାନ ହେବାରେ ଲାଗିଛି । ଓଡିଶା ସାରା ଗୋଟିଏ ନାରା ଚାଲିଛି । କୋଟିଆ ଓଡିଶାର, ଆନ୍ଧ୍ର କୋଟିଆରେ ପଶିପାରିବ ନାହିଁ । ନଭେମ୍ବର ୫ ତାରିଖରେ କୋଟିଆରେ ଆନ୍ଧ୍ର ପଂଚାୟତ ନିର୍ବାଚନ କରିବାକୁ ଯାଉଛି । ଯାହାକୁ ନେଇ ବିଜେପି ସରକାରକୁ ନିଶାନା କରିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଆନ୍ଧ୍ର ପାଖରେ ଆତ୍ମସମର୍ପଣ କରିଛି ବିଜେପି ସରକାର । ଯାହା ଭୀରୁତାର ପରିଚୟ । କୋଟିଆରେ ବର୍ତ୍ତମାନ ବିଜେପି ସରକାର ପାଇଁ ଅଗ୍ନି ପରୀକ୍ଷା । ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଲା ବିଜେପି । ହେଲେ ଏବେ ସରକାର ନିଘୋଡ଼ ନିଦରେ ଶୋଇଛନ୍ତି । ଆନ୍ଧ୍ର ୩ରୁ ୫ତାରିଖକୁ ନିର୍ବାଚନ ଘୁଞ୍ଚାଇଛି । ଏହି ସମୟ ଭିତରେ ସରକାର ସର୍ବଦଳୀୟ ବୈଠକ ଡାକି ପାରିଥାନ୍ତେ । ନବୀନ ବାବୁ ଲେଖିଥିବା ଚିଠିର ଉତ୍ତର ନଦେଇ ତାଚ୍ଛଲ୍ୟ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଥା ହୋଇ ନାହାନ୍ତି । ବିଜେପିର କେନ୍ଦ୍ରରୁ ନେଇ ରାଜ୍ୟ ପର୍ଯ୍ୟନ୍ତ ସବୁ ନେତା ନିରବ । କାଳେ କେନ୍ଦ୍ରରେ ବିଜେପି ସରକାର ଭାଙ୍ଗିଯିବ ସେଥିପାଇଁ ଆନ୍ଧ୍ର ପାଖରେ ଓଡ଼ିଶା ସରକାର ଆତ୍ମସମର୍ପଣ କରି ଦେଇଛନ୍ତି । ଯଦି କୋଟିଆରୁ ଇଞ୍ଚେ ମଧ୍ୟ ଜାଗା ଯାଏ, ତା’ହେଲେ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି ବିଜେଡି କହିଛି । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ନେତାମାନେ କୋଟିଆରେ ଲଢେଇ ଜାରି ରଖିଛନ୍ତି । କୋଟିଆରେ ବିଜେପି ନେତାଙ୍କ ଦେଖା ନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।
କୋଟିଆ ସମାଧାନ କଥାରେ ନୁହେଁ, ଆନ୍ତରିକତାର ସହ କରନ୍ତୁ ସରକାର । ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ଓ ପଂଚାୟତ ନିର୍ବାଚନ ନେଇ ବିଜେପି ଚୁପ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ବିଜେପି କହିଛି କୋଟିଆ ନେଇ ଉଚିତ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।
କୋଟିଆରେ ନଭେମ୍ବର ୫ ତାରିଖ ଦିନ ସବୁ ପଂଚାୟତରେ ବିଜେଡି ବିରୋଧ ଶୋଭାଯାତ୍ରା କରିବ । କୋଟିଆବାସୀଙ୍କୁ କଂଗ୍ରେସ ମଧ୍ୟ ଭୋଟ ବର୍ଜନ ପାଇଁ ଆହ୍ବାନ ଦେଇଛି । ବିଜେପି ଏ ପ୍ରସଙ୍ଗରେ ରାଜନୈତିକ ଯୁକ୍ତି ବାଢି ଦୋଷ ଛଡାଇବାକୁ ଉଦ୍ୟମ କରୁଛି ।

