spot_img

Latest Posts

କେବଳ ଜାତି ଆଧାରରେ ଲାଗିବନି SC/ST ଆଇନ, ଆଲାହାବାଦ ହାଇକୋର୍ଟଙ୍କ ବଡ଼ ରାୟ

ନନ୍ଦିଘୋଷ ବ୍ୟୁରୋ:  ଆଲାହାବାଦ ହାଇକୋର୍ଟ SC/ST ଆଇନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, କେବଳ ଅଭିଯୋଗକାରୀ ଅନୁସୂଚିତ ଜାତି (SC) କିମ୍ବା ଅନୁସୂଚିତ ଜନଜାତି (ST)ର ହୋଇଥିବାରୁ ଏହି ଆଇନ ଅନୁଯାୟୀ ମାମଲା ରୁଜୁ ହୋଇପାରିବ ନାହିଁ। ଅଭିଯୋଗରେ ଜାତିଗତ ଅପମାନ କିମ୍ବା ଜାତି ଆଧାରରେ ଅପମାନିତ କରିବା ଭଳି ଅପରାଧର ଆବଶ୍ୟକୀୟ ତଥ୍ୟ ରହିବା ଜରୁରୀ।

ଜଷ୍ଟିସ୍ ସନ୍ତୋଷ ରାୟଙ୍କ ଖଣ୍ଡପୀଠ ଅମରନାଥ ଚୌଧୁରୀଙ୍କ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଏହି ମାମଲାରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାର ଇଟୱା ଥାନାରେ ଏକ FIR ରୁଜୁ ହୋଇଥିଲା। ପୋଲିସ ତଦନ୍ତ ପରେ ଚାର୍ଜସିଟ୍ ଦାଖଲ କରିଥିଲା। ପରେ ଆବେଦନକାରୀ ସ୍ୱତନ୍ତ୍ର ଅଦାଲତଙ୍କ ସମନ ଜାରି କରିବା ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଅଭିଯୋଗ ଅନୁଯାୟୀ, ଅଭିଯୋଗକାରୀଙ୍କ ଜାତି ପ୍ରମାଣପତ୍ର ଜାଲ୍ ବୋଲି ଅଭିଯୋଗ କରିବା ପରେ ଆବେଦନକାରୀ ତାଙ୍କୁ ଆକ୍ରମଣ କରିଥିଲେ। ତେବେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ FIRରେ କୌଣସି ଜାତିଗତ ଆକ୍ଷେପ କିମ୍ବା ଜାତି ଆଧାରରେ ଅପମାନିତ କରିବା ସମ୍ପର୍କିତ ସ୍ପଷ୍ଟ ଅଭିଯୋଗ ନାହିଁ।

FIR ଯାଞ୍ଚ କରି ହାଇକୋର୍ଟ କହିଥିଲେ ଯେ, ଅଭିଯୋଗକାରୀଙ୍କୁ ତାଙ୍କ ଜାତି ଯୋଗୁଁ ଜାଣିଶୁଣି ଅପମାନିତ କରାଯାଇଥିବା ଦର୍ଶାଇବା ଭଳି କୌଣସି ଜାତିଗତ ମନ୍ତବ୍ୟ କିମ୍ବା ଅପମାନଜନକ ଆଚରଣର ଉଲ୍ଲେଖ ନାହିଁ।

ଏହି ଆଧାରରେ କୋର୍ଟ ଆବେଦନକାରୀଙ୍କୁ SC/ST ଆଇନ ଅନୁଯାୟୀ ଲାଗିଥିବା ଅଭିଯୋଗରୁ ମୁକ୍ତ କରିଛନ୍ତି। ତେବେ ଆକ୍ରମଣ ଅଭିଯୋଗକୁ କୋର୍ଟ ଖାରଜ କରିନାହାନ୍ତି। ଏହି ଅଭିଯୋଗ ଉପରେ ଆଇନଗତ ପ୍ରକ୍ରିୟା ଜାରି ରହିବ।

ହାଇକୋର୍ଟଙ୍କ ଏହି ରାୟରୁ ସ୍ପଷ୍ଟ ହୋଇଛି ଯେ, SC/ST ଆଇନ ଲାଗୁ କରିବା ପାଇଁ କେବଳ ଅଭିଯୋଗକାରୀଙ୍କ ଜାତି ଆଧାର ହୋଇପାରିବ ନାହିଁ। ଅଭିଯୋଗରେ ଆଇନ ଅନୁଯାୟୀ ଅପରାଧ ଘଟିଥିବାର ଆବଶ୍ୟକୀୟ ତଥ୍ୟ ସ୍ପଷ୍ଟ ଭାବେ ରହିବା ଦରକାର।

 

 

Latest Posts

Don't Miss