ନନ୍ଦିଘୋଷ ବ୍ୟୁରୋ: ବାତ୍ୟାକୁ ନେଇ ପଶିଲା ଛନକା। ଓଡିଶା ପାଇଁ ବଢିଲାଣି ଚିନ୍ତା ! ଆଶା ଆଶଙ୍କାରେ ରାଜ୍ୟବାସୀ ! ଆସନ୍ତା ୨୬ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା, ଯାହା ଏକପ୍ରକାର ସ୍ପଷ୍ଟ ହୋଇସାରିଲାଣି। ଆଉ ଏହି ବାତ୍ୟା ହେଲେ ୨୮ ତାରିଖ ସକାଳେ ଛୁଇଁପାରେ ସ୍ଥଳଭାଗ। ଏହା ପ୍ରଭାବରେ ଓଡ଼ିଶା ଓ ପଡ଼ୋଶୀ ଆନ୍ଧ୍ର ସମେତ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ୨୬ ତାରିଖରୁ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବ ଏବଂ ବର୍ଷା ଆରମ୍ଭ ହେବ। ୨୭ ତାରିଖ ବେଳକୁ ଏହାର ତୀବ୍ରତା ବଢ଼ିବ। ବର୍ଷା ସାଙ୍ଗକୁ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୯୦ କିଲୋମିଟର ରହିପାରେ। ବିଭିନ୍ନ ଘରୋଇ ପାଣିପାଗ ସଂସ୍ଥାର ଆକଳନ ପରେ ଏବେ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। ପରେ ଏହି ଲଘୁଚାପ କ୍ଷେତ୍ରଟି ଧିରେ ଧିରେ ଅଧିକ ଘନୀଭୂତ ହେବ। ଆଜି ସୁଦ୍ଧା ଅବପାତ ଓ ୨୫ ବେଳକୁ ଗଭୀର ଅବପାତର ରୂପ ନେବ। ସମ୍ଭାବ୍ୟ ବାତ୍ୟା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ ବୋଲି କୁହାଯାଉଛି। ୨୮ ତାରିଖ ସକାଳେ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ରରେ ପହଞ୍ଚିବ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ। ୨୦୧୪ ମସିହାରେ ଓଡିଶାରେ ହୋଇଥିବା ହୁଡହୁଡ ବାତ୍ୟା ପରି ଏହି ବାତ୍ୟାର ପ୍ରଭାବ ରହିପାରେ ବୋଲି ଆକଳନ କରାଯାଇଛି ।
ତେବେ ଅକ୍ଟୋବର ଶେଷ ଆଡକୁ ଆସୁଥିବା ଏହି ବାତ୍ୟା ପୁଣିଥରେ ମନେପକାଇ ଦେଇଛି ସେହି ମହାବାତ୍ୟାର କଥା । ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଓଡିଶାରେ ତାଣ୍ଡବ ରଚିଥିଲା ଏହି ସୁପର୍ ସାଇକ୍ଲୋନ୍ । ଆଉ ଆଜି ମହାବାତ୍ୟାକୁ ୨୭ ବର୍ଷ ପୁରିବାକୁ ଯାଉଥିବା ବେଳେ ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶାବାସୀଙ୍କ ମନରେ ଭୟ ଦେଖା ଦେଇଛି । ଯଦିଓ ଏହି ବାତ୍ୟା ମହାବାତ୍ୟାର ରୂପ ନେବ ନାହିଁ, ତଥାପି ଯେଉଁମାନେ ୧୯୯୯ ର ମହାବାତ୍ୟାକୁ ଅଙ୍ଗେ ନିଭେଇଛନ୍ତି, ସେମାନଙ୍କ ପାଇଁ ଏହି ବାତ୍ୟା ମନ ଭିତରେ କେଉଁଠି ନାଁ କେଉଁଠି କିଛି ଆଶଙ୍କା ସୃଷ୍ଟି କରିଛି ।

