ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିମାନ ବନ୍ଦରରେ ଦୀର୍ଘ ୩ ଘଣ୍ଟା ଧରି ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ । ଏହାସହ ତାଙ୍କଠାରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଘଟଣାକୁ ନେଇ ଜୋର ଧରିଛି ରାଜନୀତି।
ସୂଚନାଥାଉ କି, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ପ୍ୟାରିସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ପରେ ତାଙ୍କୁ ଅଟକ ରଖାଯାଇଥିଲା। ଏନେଇ କେନ୍ଦ୍ର ଉପରେ ବର୍ଷିଛି ଆମ ଆଦମୀ ପାର୍ଟି। ଏପରିକି ତାଙ୍କୁ ଅଟକ ରଖିଥିବା ଅଧିକାରୀମାନେ ଉପର ମହଲରୁ ଚାପ ଯୋଗୁଁ ଅଟକାଇଛନ୍ତି ବୋଲି କହିଥିବା ସୂଚନା ମିଳିଛି। ମାନ୍ ଙ୍କ ବିଦେଶ ଗସ୍ତ ଉପରେ ବାରମ୍ବାର କଟକଣା ଲଗାଯାଉଥିବା ଅଭିଯୋଗ କରିଛି ଆପ । ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଆପ୍ ନେତା ସୌରଭ ଭରଦ୍ବାଜ। ପ୍ୟାରିସରେ ପଞ୍ଜାବ ସାମଗ୍ରୀର ଲଞ୍ଚ ଲାଗି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ମାନ୍। ମାତ୍ର ସେ ଫେରିବା ପରେ ତାଙ୍କୁ ଜାଣିଶୁଣି ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି । ତେବେ ୫୦ ହଜାର ଟଙ୍କାର ଜରିମାନା କ’ଣ ପାଇଁ ଦିଆଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ପ୍ରଥମେ ପ୍ୟାରିସ ଗସ୍ତ ଲାଗି ଭଗବନ୍ତ ମାନ୍ ଙ୍କୁ ପଲିଟିକାଲ କ୍ଲିୟରାନ୍ସ ଦେଇ ନଥିଲେ କେନ୍ଦ୍ର ସରକାର। ଏହା ବିରୋଧରେ ମାନ୍ ପଞ୍ଜାବ ଓ ହରିଆଣା ହାଇକୋର୍ଟକୁ ଯାଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କ ପଦକ୍ଷେପକୁ ରଦ୍ଦ କରିଥିଲେ।

