ଭୁବନେଶ୍ବର: ଦରଦାମ ନିଆଁରେ ଜଳୁଛି ବିଦେଶ । ଓଡିଶାକୁ ବି ବ୍ୟାପିଲାଣି ନିଆଁ । ବଜାର ନିୟନ୍ତ୍ରଣରେ ସରକାର ବିଫଳ । ବ୍ୟବସାୟୀ ସଂଘର ଯୁକ୍ତି-ଆଗକୁ ସ୍ଥିତି ଭୟାନକ ।…ଏବେ ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ ଆକାଶ ଛୁଆଁ । ଚାଉଳ, ଡାଲି, ତେଲ, ଚିନି ଠାରୁ ଆରମ୍ଭ କରି ପନିପରିବା ଯାଏଁ ଦର ହୁହୁ ହୋଇ ବଢିଚାଲିଛି । ଦରଦାମ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି । ଏପରି ସ୍ଥିତି ଲାଗି ରହିଲେ ଆଗକୁ ଫ୍ରାନ୍ସ, ନେପାଳ ପରି ସ୍ଥିତି ସୃଷ୍ଟି ହୋଇପାରେ । ଅନେକ ଦେଶରେ ଦରଦାମ ନିଆଁ ବ୍ୟାପୁଥିବାରୁ ବେଳ ଥାଉ ଥାଉ ରାଜ୍ୟ ସରକାର ସାବଧାନ ହେବା ଆବଶ୍ୟକ ବୋଲି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଚେତାଇ ଦେଇଛନ୍ତି । ଦେଶରେ ଦରଦାମ ବୃଦ୍ଧି ପାଇଁ ଓଡିଶା ସର୍ବାଧିକ ଭାବେ ପ୍ରଭାବିତ ଥିବାରୁ ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ସରକାର କାହିଁକି ଦରଦାମକୁ ନିୟନ୍ତ୍ରଣକୁ ଆଣୁନାହାନ୍ତି ବୋଲି ବିଜେଡି ଓ କଂଗ୍ରେସ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ଦରଦାମ ବୃଦ୍ଧି ପାଇଁ ଏଫଡିଆଇ ଓ ପୁଞ୍ଜିପତିଙ୍କୁ ଦାୟୀ କରିଛି ବ୍ୟବସାୟୀ ମହାସଂଘ । ଏଫଡିଆଇ ପ୍ରତ୍ୟାହାର ହେଲେ ଦରଦାମ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିବ ବୋଲି ସଂଘ ଯୁକ୍ତି ବାଢିଛି । ଓଡ଼ିଶାରେ ଦରଦାମ ଅହେତୁକ ବୃଦ୍ଧି ହେବା, ହୋଲସେଲ ଓ ବଜାର ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ଏପରି ଦର ବୃଦ୍ଧି ହୋଇ ଚାଲିଛି ବୋଲି ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି । ହୋଲସେଲରେ ଚିନି ଦର କେଜି ପ୍ରତି ୫୪ ଟଙ୍କା ଥିବା ବେଳେ ବଜାରେ ଏହା ୭୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ତେଲ, ଡାଲିରେ ମଧ୍ୟ ହୋଲସେଲ ଠାରୁ ବହୁ ଅଧିକ ଦରରେ ବଜାରରେ ବିକ୍ରି କରାଯାଉଛି ବୋଲି ସଂଘ କହିଛି । ରାଜ୍ୟ ସରକାର ଯଦି ବଜାରକୁ ନିୟନ୍ତ୍ରଣ ନକରିନ୍ତି ତେବେ ଦର ଆହୁରି ବୃଦ୍ଧି ପାଇବ ବୋଲି ସଂଘ କହିଛି ।
ଦରଦାମ ଓ ବେକାରୀ ସମସ୍ୟାକୁ ନେଇ ବିଶ୍ବ ଜଳୁଥିବା ବେଳେ ଓଡିଶାରେ ଏହାକୁ ନେଇ ଭାଳେଣି ପଡିଲାଣି । ସରକାର ଯଦି ଦରଦାମକୁ ନିୟନ୍ତ୍ରଣ ନକରନ୍ତି ତେବେ ଆଗାମୀ ପରିସ୍ଥିତ ଭୟାନକ ହେବ ବୋଲି ଆଶଙ୍କା କରିଛନ୍ତି ବ୍ୟବସାୟୀ ଓ ବିରୋଧୀ ।

