ଦଶହରାରେ ଏହି ପକ୍ଷୀର ଦର୍ଶନ ଅତ୍ୟନ୍ତ ଶୁଭ; ଜାଣନ୍ତୁ, କ’ଣ ରହିଛି ମହାଦେବ ଓ ଶ୍ରୀମରାଙ୍କ ସହ ସମ୍ପର୍କ
ନନ୍ଦିଘୋଷ ବ୍ୟୁରୋ: ଦଶହରା ଅର୍ଥାତ ବିଜୟା ଦଶମୀ ପାପ ଉପରେ ପୁଣ୍ୟର ବିଜୟ ପ୍ରତୀକ । ଏହିଦିନ ପ୍ରଭୁ ଶ୍ରୀରାମ ରାବଣଙ୍କ ବଧ କରିଥିଲେ । ଏଥିପାଇଁ ଦଶହରାକୁ ସାରା ଦେଶରେ ଧୂମଧାମରେ ପାଳନ କରାଯାଇଥାଏ । ତେବେ ଏହି ଦିନ ଏକ ବିଶେଷ ପକ୍ଷୀର ଦର୍ଶନ ଅତ୍ୟନ୍ତ ଶୁଭ ବୋଲି ବିଶ୍ବାସ କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ, ଯଦି ଦଶହରାରେ ଏହି ପକ୍ଷୀର ଦର୍ଶନ ହୋଇଗଲା ତେବେ ଜୀବନରେ ସୁଖ, ସମୃଦ୍ଧି ଓ ସଫଳତାର ବାଟ ଖୋଲି ଯାଇଥାଏ । ଏହି ପକ୍ଷୀର ନାଁ ହେଲା ନୀଳକଣ୍ଠ । ଯାହାକୁ ଭଗବାନ ଶିବଙ୍କ ପ୍ରତୀକ ବୋଲି ବିଶ୍ବାସ କରାଯାଏ । ଆସନ୍ତୁ ଜାଣିବା ଦଶହରାରେ ଏହି ନୀଳକଣ୍ଠ ପକ୍ଷୀର ଦର୍ଶନ ଏତେ ଶୁଭ ବୋଲି କାହିଁକି ବିଶ୍ବାସ କରାଯାଏ ।
ଧାର୍ମିକ ମାନ୍ୟତା ଅନୁସାରେ ଲଙ୍କା ଉପରେ ଆକ୍ରମଣ ଓ ରାବଣ ବଧ କରିବା ପୂର୍ବରୁ ଭଗବାନ ଶ୍ରୀରାମ ନୀଳକଣ୍ଠ ପକ୍ଷୀର ଦର୍ଶନ କରିଥିଲେ । ଏହାପରେ ଶ୍ରୀରାମଙ୍କ ବିଜୟ ହୋଇଥିଲା । ଅନ୍ୟ ଏକ ମାନ୍ୟତା ଅନୁସାରେ, ରାବଣ ବଧ ପରେ ଶ୍ରୀରାମ ବ୍ରହ୍ମହତ୍ୟା ପାପରୁ ମୁକ୍ତି ପାଇବାକୁ ମହାଦେବଙ୍କ ଆରାଧନା କରିଥିଲେ । ସେତେବେଳେ ମହାଦେବ ତାଙ୍କୁ ନୀଳକଣ୍ଠ ପକ୍ଷୀ ରୂପରେ ଦର୍ଶନ ଦେଇଥିଲେ । ଏହି କାରଣରୁ ଦଶହରାରେ ନୀଳକଣ୍ଠ ପକ୍ଷୀର ଦର୍ଶନ କରିବା ସୌଭାଗ୍ୟ ଓ ବିଜୟର ପ୍ରତୀକ ଭାବେ ବିବେଚନା କରାଯାଇଥାଏ ।
ଦଶହରାରେ ନୀଳକଣ୍ଠ ପକ୍ଷୀର ଦର୍ଶନ କଲେ ସାରା ବର୍ଷର ପାପ ନଷ୍ଟ ହୋଇଯିବା ସହ ଜୀବନରେ ସୁଖ ସୁବିଧାର ବାଟ ଖୋଲିଯାଇଥାଏ । ଆର୍ଥିକ ଲାଭ ହେବା ସହ ଚାକିରି କରିଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ସଫଳତା ପାଇବାର ସଙ୍କେତ ବୋଲି ବିଶ୍ବାସ କରାଯାଏ ।
ଏଥିପାଇଁ ଲୋକେ ଦଶହରାରେ ଏହି ପକ୍ଷୀର ଦର୍ଶନ କରିବାକୁ ଚେଷ୍ଟା କରିଥାନ୍ତି । ଯଦି କାହାକୁ ସୌଭାଗ୍ୟକୁ ଏହି ପକ୍ଷୀର ଦର୍ଶନ ହୋଇଯାଏ ତେବେ ସେତେବେଳେ ଏକ ଗୀତ ଗାଇବାର ମଧ୍ୟ ପରମ୍ପରା ରହିଛି । ନୀଳକଣ୍ଠ ପକ୍ଷୀ ଦର୍ଶନ ହେଲେ ହାତ ଯୋଡ଼ି ପ୍ରଣାମ କରିବା ସହ ‘ନୀଲକଣ୍ଠ ତୁମ୍ ନୀଲ ରହିୟୋ…, ଦୁଧ-ଭାତ କା ଭୋଜନ କରିୟୋ… ହାମରୀ ବାତ ରାମ ସେ କହିୟୋ…’ ଗାଇ ପ୍ରାର୍ଥନା କରିବାର ବିଧି ରହିଛି । ଏହାଦ୍ବାରା ଜୀବନରୁ କଷ୍ଟ ଦୂର ହୋଇଯିବାର ବିଶ୍ବାସ ରହିଛି ।

