ନନ୍ଦିଘୋଷ ବ୍ୟୁରୋ: ଥରିଲା ଶିମଲା । ଭୂମିକମ୍ପରେ ଦୋହଲିଲା ହିମାଚଳ ପ୍ରଦେଶ । ରିକ୍ଟର ସ୍କେଲରେ ୪.୧ ତୀବ୍ରତାର ଭୂକମ୍ପ ରେକର୍ଡ । ନ୍ୟାସନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁସାରେ, ଅକ୍ବୋବର ୧୭ ତାରିଖ ସକାଳ ପ୍ରାୟ ୪ଟା ୩୬ ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ସେହିପରି ସିମଲାରେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ୧୦ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଥିଲା ।
ଏହା ପୂର୍ବରୁ ଋଷିଆରେ ମଧ୍ୟ ଥରିଥିଲା ମାଟି । ଋଷର କାମଚଟକା ଉପଦ୍ବୀପ ଅଞ୍ଚଳରେ ୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ୟୁରୋପିଆନ ମେଡେଟେରେନିୟମ ସିସ୍ମୋଲୋଜିକାଲ ସେଣ୍ଟରର କହିବା ମୁତାବକ, ଶୁକ୍ରବାର ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ୧୪୦ କିଲୋମିଟର ଗଭୀରତାରେ ହୋଇଥିଲା । ସ୍ଥାନୀୟ ସମୟ ଅପରାହ୍ନ ୩:୩୫ରେ ଭୂକମ୍ପ ରେକର୍ଡ କରାଯାଇଥିଲା ।
ତେବେ ଭୂମିକମ୍ପ ପରେ ତୁରନ୍ତ କୌଣସି ସୁନାମୀ ଆଲର୍ଟ ଜାରି କରାଯାଇ ନାହିଁ । ଆମେରିକାର ଜାତୀୟ ସୁନାମୀ ଚେତାବନୀ କେନ୍ଦ୍ର କହିଛି ଯେ, ଭୂମିକମ୍ପ ପରେ ସେଭଳି କୌଣସି ବିପଦ ନାହିଁ । ସେହିପରି ଭୂମିକମ୍ପରେ ହୋଇଥିବା କ୍ଷୟକ୍ଷତି କିମ୍ବା ମୃତାହତ ବିଷୟର ବର୍ତ୍ତମାନ କୌଣସି ସରକାରୀ ସୁଚନା ଆସିନାହିଁ ।
ବିଶେଷଜ୍ଞଙ୍କ କହିବାନୁସାରେ, ପୃଥିବୀ ଭିତରେ ସାତ ପ୍ରକାରର ପ୍ଲେଟ ରହିଛି ଯାହା ନିରନ୍ତର ଘୁରୁଥାଏ । ଯେତେବେଳେ ଏହି ପ୍ଲେଟ୍ ଗୁଡିକ ଭିତରେ ଧକ୍କା ହୋଇଯାଏ ତାହାକୁ ଜୋନ୍ ଫଲ୍ଟ ଲାଇନ୍ କୁହାଯାଏ । ଏହାବ୍ୟତୀତ ଯେତେବେଳେ ଅତ୍ୟଧିକ ଚାପ ବୃଦ୍ଧି ପାଏ, ସେତେବେଳେ ପ୍ଲେଟଗୁଡିକ ଭାଙ୍ଗିବା ଆରମ୍ଭ କରନ୍ତି ଏବଂ ତଳେ ଥିବା ଏନର୍ଜି ବାହାରକୁ ଆସିବାକୁ ରାସ୍ତା ଖୋଜନ୍ତି । ଫଳରେ ଭୂକମ୍ପ ଅନୁଭୂତ ହୋଇଥାଏ । ତେବେ ଭୂକମ୍ପ କେତେ ଭୟଙ୍କର , ଏହାର ତୀବ୍ରତା ରିକ୍ଟର ସ୍କେଲରେ ମପାଯାଏ । ରିକ୍ଟର ସ୍କେଲରେ ୬ ରୁ କମ ତୀବ୍ରତା ବିଶିଷ୍ଟ ଭୂକମ୍ପକୁ ଗୁରୁତର ବୋଲି ବିବେଚନା କରାଯାଏ ନାହିଁ, କାରଣ ଏହା କେବଳ ମୃଦୁ କମ୍ପନ ସୃଷ୍ଟି କରେ । ଏହି ସମୟରେ ୭-୯ ମଧ୍ୟରେ ରିକ୍ଟର ସ୍କେଲ ତୀବ୍ରତାରେ କୋଠା ଭୁଶୁଡିବା ଠାରୁ ଆରମ୍ଭ କରି ସାମୁଦ୍ରିକ ଝଡ ଭଳି ବିପଦ ସୃଷ୍ଟି କରିପାରେ । ଆଉ ରିକ୍ଟର ସ୍କେଲରେ ୯ ରୁ ଅଧିକ ତୀବ୍ରତାର ଭୂମିକମ୍ପରେ ଭୟଙ୍କର କ୍ଷୟକ୍ଷତି ହୋଇଥାଏ ।

