ନନ୍ଦିଘୋଷ ବ୍ୟୁରୋ: ଭଙ୍ଗା ଦଦରା ଝାଟିମାଟି ଘର । ଛପର କରିବାକୁ ଅଣ୍ଟାରେ ନାହିଁ ସମ୍ବଳ । ମୁଣ୍ଡ ଉପରେ ଛିଣ୍ଡା ପଲିଥିନ । ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଉଛି । ସାପ ବେଙ୍ଗ ପସିବାର ଭୟ । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ଭଦ୍ରକ ବାସୁଦେବପୁର ବ୍ଲକ ବିଷ୍ଣୁବିନ୍ଧା ଗାଁର ବୃଦ୍ଧା ତୁଳସୀ ସିଂ । ଚାଲିବାକୁ ବଳ ନାହିଁ । ବୟସ ସତୁରୀ ଟପିଲାଣି । ଆଶାବାଡ଼ି ସାଜିଛି ଖଣ୍ଡେ ପ୍ଲାଷ୍ଟିକ ଚେୟାର । ତାହାକୁ ଆଶ୍ରା କରି ଗୁରୁଣ୍ଡି ଗୁରୁଣ୍ଡି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ପହଞ୍ଚିଥିଲେ । ହେଲେ ପହଞ୍ଚିଲା ବେଳକୁ ଶୁଣାଣି ଶେଷ ହୋଇଥିଲା । ଜିଲ୍ଲାପାଳଙ୍କ ଦେଖା ନପାଇ ନିରାଶ ହୋଇ ଫେରିଥିଲେ ତୁଳସୀ ।
ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ ? ତୁଳସୀଙ୍କୁ କାହିଁକି ମିଳୁନି ଘର ଖଣ୍ଡେ ? ପ୍ରକୃତ ହିତାଧିକାରୀଙ୍କୁ ପକ୍କା ଘର ମିଳୁନଥିବା ବେଳେ ନିୟମର ଗଳାବାଟ ଦେଇ ଫାଇଦା ମାରି ନେଉଛନ୍ତି ଥିଲାବାଲା । ଆଉ ଗରିବଙ୍କ ପାଇଁ ଛିଣ୍ଡା ପଲିଥିନ୍ ପାଲଟିଛି ସାହା ଭରସା । ସେପଟେ PEO ଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି, ରିପୋର୍ଟ ଆସିଲେ ତୁଳସୀଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବିଡିଓ କହିଛନ୍ତି ।
ତେବେ ଏ ଘଟଣା କିଛି ନୂଆ ନୁହେଁ । ପୂର୍ବରୁ ଏମିତି ଅନେକ ଖବର ସାମ୍ନାକୁ ଆସି ସାରିଛି । ଆଉ ହୁଏତ ଆଗକୁ ମଧ୍ୟ ଆସିବ । କିନ୍ତୁ ଏମିତି କେତେ ଦିନ ? ଗରିବଙ୍କ ତଣ୍ଟି ଚିପି କେତେ ଦିନ ଏମିତି ତେଲିଆ ମୁଣ୍ଡରେ ତେଲ ଢାଲୁଥିବେ ସରକାର ? ତେଣୁ ଏ ଦିଗରେ ବିଶେଷ ଧ୍ୟାନ ଦେବା ନିହାତି ଦରକାର ।

