ନନ୍ଦିଘୋଷ ବ୍ୟୁରୋ: ସୌରଭଙ୍କୁ ମିଳିଲା ନ୍ୟାୟ । ବଡ ନିଷ୍ପତ୍ତି ଶୁଣାଇଲେ କୋର୍ଟ । ଫାଶୀ ଖୁଣ୍ଟରେ ଝୁଲିବେ ଖୁନି ସ୍ତ୍ରୀ ଓ ତା ପ୍ରେମିକ । ବିବାହିତ ହୋଇ ମଧ୍ୟ ପରକୀୟା ପ୍ରୀତି ପାଇଁ ଯେଉଁଭଳି ନିଜ ସ୍ବାମୀଙ୍କୁ ମୁସ୍କାନ ଅତି ନୃଶଂସ ଭାବରେ ହତ୍ୟା କରିଥିଲା, ତାର ଦଣ୍ଡ ଏବେ ତାକୁ ମିଳିବାକୁ ଯାଉଛି । ଯେଉଁ ପ୍ରେମିକ ପାଇଁ ସ୍ବାମୀର ଜୀବନ ନେଇଥିଲା, ସେହି ପ୍ରେମିକ ସହ ଏବେ ଫାଶୀ ଖୁଣ୍ଟରେ ଝୁଲିବ ମୁସ୍କାନ ।
ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ମିରଟର ସୌରଭ ରାଜପୁତ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି କୋର୍ଟ । ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ବଏଫ୍ରେଣ୍ଡ ସାହିଲଙ୍କୁ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେପ୍ଟେମ୍ବର ୩୦ ତାରିଖରେ କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ତାଙ୍କ ସଜାର ଶୁଣାଣୀ ସମୟରେ ମୁସ୍କାନ ଏବଂ ସାହିଲ ଦୁହେଁ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ । ଏହାସହ ଏହି ସମୟରେ ସୌରଭଙ୍କ ମାଆ ଏବଂ ତାଙ୍କ ଭାଇ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ ।
ତେବେ ମୁସ୍କାନଙ୍କୁ ଫାଶୀ ଦଣ୍ଡାଦେଶ ହେବା ପୂର୍ବରୁ ଆଜି ସକାଳୁ ମୁସ୍କାନର ବାପା ମାଆ କୋର୍ଟରେ ଲିଖିତ ଭାବେ କହିଥିଲେ ଯେ, ସୌରଭ ଜଣେ ବହୁତ ଭଲ ପୁଅ ଥିଲେ, ହେଲେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଦିଆଗଲା । ଏହାସହ ସେମାନେ ସଫା ସଫା କହିଦେଇଥିଲେ ଯେ ମୁସ୍କାନ ସହ ତାଙ୍କର ଆଉ କୌଣସି ସମ୍ପର୍କ ନାହିଁ । ଯଦି ମୁସ୍କାନକୁ ଫାଶୀ ମଧ୍ୟ ଦିଆଯାଏ, ତାହାହେଲେ ବି ସେମାନେ ଏହାର ବିରୋଧ କରିବେ ନାହିଁ ।
ସୂଚନା ମୁତାବକ , ମାର୍ଚ୍ଚ ୩, ୨୦୨୫ରେ ମୁସ୍କାନ ତାଙ୍କ ବଏଫ୍ରେଣ୍ଡ ସାହିଲ ସହ ମିଶି ନିଜ ସ୍ବାମୀ ସୌରଭ ରାଜପୁତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ଧରାପଡିଯିବା ଭୟରେ ତାଙ୍କ ମୃତଦେହକୁ ଏକ ନୀଳ ଡ୍ରମରେ ସିମେଣ୍ଟ ପ୍ଲାଷ୍ଟର କରି ଲୁଚାଇ ଦେଇଥିଲେ । ଏହି ମାମଲାରେ ୧୨୬ ଶୁଣାଣୀ ପରେ, ସୌରଭ ରାଜପୁତଙ୍କୁ ହତ୍ୟା ଷଡଯନ୍ତ୍ର ଏବଂ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଅଭିଯୋଗରେ କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥଲେ । ଯାହାପରେ କୋର୍ଟ କହିଥିଲେ ଯେ, ଅପରାଧ ସମାଜରେ ଭୟର ବାତାବରଣ ସୃଷ୍ଟି କରୁଛି । ଆଉ ସବୁ ପ୍ରମାଣର ଯାଞ୍ଚ କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଉଭୟ ମିଶି ସୌରଭ ରାଜପୁତଙ୍କର ହତ୍ୟା କରିଥିଲେ ଏବଂ ପ୍ରମାଣ ନଷ୍ଟ ପାଇଁ ଯଥା ସମ୍ଭବ ଚେଷ୍ଟା କରିଥିଲେ ।

