ନନ୍ଦିଘୋଷ ବ୍ୟୁରୋ: ମହଙ୍ଗା ମାଡ଼ର ନନଷ୍ଟପ୍ ଇଫେକ୍ଟ, ହନ୍ତସନ୍ତ ଖାଉଟି । ଚିନି ୭୦ ଟଙ୍କା ପାର୍ । ଡାଲି, ଚାଉଳ, ପରିବା ଓ ତେଲ କିଣିବା ହେଲାଣି ମୁସ୍କିଲ । ଆସନ୍ତାବର୍ଷ ବି ଜାରି ରହିପାରେ ମହଙ୍ଗା ମାଡ଼ । ପ୍ରଥମେ ଖାଦ୍ୟ ଓ ଶକ୍ତି ସଙ୍କଟ ନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ପଷ୍ଟ କରିଥିବା ବେଳେ ଏବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଏନେଇ ଆକଳନ କରିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଖାଉଟି ଅତିଷ୍ଠ ହୋଇପଡ଼ିଛନ୍ତି । ଗତ ଜୁଲାଇରେ ଖାଉଟି ମୁଦ୍ରାସ୍ଫୀତି ୪.୫ ପ୍ରତିଶତ ଥିବା ବେଳେ ଅଗଷ୍ଟରେ ଏହା ୪.୮ ପ୍ରତିଶତକୁ ବୃଦ୍ଧି ପାଇଥିଲା ।
RBIର ଆକଳନ ଅନୁସାରେ, ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଖାଉଟି ମୁଦ୍ରାସ୍ଫୀତି ୫.୨ ପ୍ରତିଶତ, ଦ୍ୱିତୀୟ ତ୍ରୈମାସିକରେ ୪.୯ ପ୍ରତିଶତ, ତୃତୀୟ ତ୍ରୈମାସିକରେ ୬ ପ୍ରତିଶତ ଏବଂ ଚତୁର୍ଥ ତ୍ରୈମାସିକରେ ୫.୭ ପ୍ରତିଶତ ରହିବାର ଆକଳନ କରାଯାଇଛି । ନିଯୁକ୍ତି ଅଭାବ ଓ ଲୋକଙ୍କ କ୍ରୟଶକ୍ତି ହ୍ରାସ ମଧ୍ୟରେ ଦରଦାମ ବୃଦ୍ଧି ଚିନ୍ତା ବଢ଼ାଇଛି । ପୂଜା ଋତୁରେ ମଧ୍ୟ ମହଙ୍ଗା ମାଡ଼ ଜାରି ରହିବା ନେଇ ଆଶଙ୍କା ପ୍ରକାଶ କରିଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ସୁପର ଏଲ୍ ନିନୋର ପ୍ରଭାବ ଯୋଗୁଁ ଉତ୍ପାଦନ ହ୍ରାସ ପାଉଥିବା ବେଳେ ସାମଗ୍ରୀର ଚାହିଦା ବଢ଼ିଚାଲିଛି । ଏହା ଦରବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି । ଦରଦାମ ନିୟନ୍ତ୍ରଣ କରିବା ସରକାରଙ୍କ ଦାୟିତ୍ୱ ହୋଇଥିବା ବେଳେ ପୁଞ୍ଜିପତି ଓ କର୍ପୋରେଟ୍ ସଂସ୍ଥା ପ୍ରତି ସରକାରଙ୍କ ଅନୁକୂଳ ମନୋଭାବ ମଧ୍ୟ ଦରବୃଦ୍ଧିର ଏକ କାରଣ ବୋଲି ମହାସଂଘ ଅଭିଯୋଗ କରିଛି । ଏହି ସ୍ଥିତିରେ ପରିବର୍ତ୍ତନ ନ ହେଲେ ଆଗକୁ ଖାଉଟି ଆହୁରି ହଇରାଣ ହେବାର ଆଶଙ୍କା ରହିଛି ।
ମହଙ୍ଗା ମାଡ଼ର ପ୍ରଭାବ ଭୋଗିବେ ସାଧାରଣ ଲୋକେ । ଆସନ୍ତାବର୍ଷ ମଧ୍ୟ ହ୍ରାସ ପାଇପାରେ ଅଭିବୃଦ୍ଧି ହାର । କେନ୍ଦ୍ର ସରକାର ୭.୮ ପ୍ରତିଶତ ଅଭିବୃଦ୍ଧି ହାରକୁ ନେଇ ଆତ୍ମବିଶ୍ୱାସ ପ୍ରକାଶ କରୁଥିବା ବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକଳନ ଭିନ୍ନ ସଙ୍କେତ ଦେଉଛି । ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଅଭିବୃଦ୍ଧି ହାର ୭.୧ ପ୍ରତିଶତ ଏବଂ ଦ୍ୱିତୀୟ ତ୍ରୈମାସିକରେ ୭.୨ ପ୍ରତିଶତ ରହିବାର ଆକଳନ କରାଯାଇଛି । ତେବେ ତୃତୀୟ ତ୍ରୈମାସିକରେ ଏହା ହ୍ରାସ ପାଇ ୬.୯ ପ୍ରତିଶତ ଏବଂ ଚତୁର୍ଥ ତ୍ରୈମାସିକରେ ଆହୁରି ଖସି ୬.୮ ପ୍ରତିଶତ ରହିପାରେ ବୋଲି ଅର୍ଥନୀତି ବିଶେଷଜ୍ଞଙ୍କ ଆକଳନରୁ ସଙ୍କେତ ମିଳୁଛି । ମହଙ୍ଗା ମାଡ଼ ଓ ଅଭିବୃଦ୍ଧି ହାରରେ ସମ୍ଭାବ୍ୟ ହ୍ରାସ ଆଗାମୀ ଦିନରେ ଦେଶର ଅର୍ଥନୀତି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।

