ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନରେ ଋଷିଆର ଆକ୍ରମଣ । ୟୁକ୍ରେନର ଦକ୍ଷିଣାଞ୍ଚଳ ଜାପୋରିଝିଆରେ ଆକାଶମାର୍ଗରୁ ଋଷୀୟ ସେନାର ଆକ୍ରମଣରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଶନିବାର ଦିନ ଜାପୋରିଝିଆର ବହୁ ଆବାସିକ କୋଠା ଗୁଡ଼ିକୁ ଲକ୍ଷ୍ୟ କରି ଋଷ ବୋମାମାଡ଼ କରିଥିଲା । ଏହି ଆକ୍ରମଣରେ ୩୨ ଜଣ ଆହତ ହେବା ସହ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ସେମାନେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ବୋଲି ଅଞ୍ଚଳର ସାମରିକ ପ୍ରଶାସନ ମୁଖ୍ୟ ମିଖାଇଲେ ସେମିକିନ୍ କହିଛନ୍ତି । ଆମେରିକା ରାଷ୍ଟ୍ରପତି ଡ଼ୋନାଲ ଟ୍ରମ୍ପ୍ ଋଷରୁ ଡ଼ିଜେଲ କିଣିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଚୁକ୍ତି କରିବା ସମୟରେ ଏହି ଆକ୍ରମଣ ହୋଇଥିବା କୁହଯାଉଛି । ରିପୋର୍ଟ ଅନୁଯାୟୀ, ଗତ ୪ ଦିନ ମଧ୍ୟରେ ୟୁକ୍ରେନରେ ଋଷୀୟ ବୋମାମାଡ଼ରେ ପ୍ରାୟ ୫୫ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି ।
ପ୍ରକାଶ ଥାଉ କି, ଟ୍ରମ୍ପ୍ ତାଙ୍କ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲର ଏକ ପୋଷ୍ଟରେ କହିଛନ୍ତି, “ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ସହ ମୋର ଏକ ଆଲୋଚନା ହୋଇଥିଲା,ଯେଉଁଥିରେ ଋଷ ତୁରନ୍ତ ଆମେରିକା ସହ ବିଶ୍ୱ ବଜାରକୁ ୩ ଲକ୍ଷ ଟନ୍ ରୁ ଅଧିକ ଡିଜେଲ୍ ଯୋଗାଇବ ବୋଲି ରାଜି ହୋଇଛି । ନଭେମ୍ବରରେ ଋଷ ଅତିରିକ୍ତ ୫ ଲକ୍ଷ ଟନ୍ ରୁ ଅଧିକ ଡିଜେଲ ଯୋଗାଇବ। ଏହାପରେ ତୁରନ୍ତ ଆଉ ୧୦ ଲକ୍ଷ ଟନ୍ ଡିଜେଲ ଯୋଗାଇବ । ଏହା ବ୍ୟତୀତ ଋଷର ଡିଜେଲ ରିଫାଇନାରୀର ସ୍ଥିତିକୁ ବିଚାରକୁ ନେଇ ସେ ଅଳ୍ପ ସମୟ ମଧ୍ୟରେ ୩୦ ଲକ୍ଷ ଟନ୍ ଡିଜେଲ ଇନ୍ଧନ ଯୋଗାଇବେ” ବୋଲି ଟ୍ରମ୍ପ କହିଛନ୍ତି ।
ତେବେ ଆମେରିକାର ଏହି ଚୁକ୍ତିକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସମାଲୋଚନା କରିଛନ୍ତି । ଏନେଇ ସେ କହିଛନ୍ତି, ଋଷକୁ ଡ଼ିଜେଲ ବିକ୍ରି କରିବାର ନେଇ ସୁଯୋଗ ଦେଲେ ଏହା ଯୁଦ୍ଧ ଚଳାଇବା ପାଇଁ ଆର୍ଥିକ ବୃଦ୍ଧି କରିବ । ଏହି ଚୁକ୍ତି ବଳରେ ଶାନ୍ତି ପ୍ରତିଷ୍ଠା ପରିବର୍ତ୍ତେ ଯୁଦ୍ଧକୁ ଅଧିକ ଦିନ ଧରି ଚାଲୁ ରଖିବା ନେଇ ସହାୟକ ହେବ । ଏହି ଚୁକ୍ତି ସମୟରେ ତାଙ୍କ ପ୍ରତିନିଧି ଷ୍ଟିଭ୍ ୱିଟକଫ ଓ ଜାମାତା ଜାରେଡ଼ କୁଶନର୍ ମିଆମିରେ ୟୁକ୍ରେନର ପ୍ରତିନିଧିମାନଙ୍କ ସହ ଯୁଦ୍ଧ ବନ୍ଦ କରିବା ପ୍ରସ୍ତାବ ଉପରେ ଆଲୋଚନା କରୁଥିଲେ । ଏହି ଆଲୋଚନାକୁ ଆମେରିକା ଋଷ ସହ ଡ଼ିଜେଲ ଚୁକ୍ତି ପାଇଁ ବାହାନା ଭାବେ ବ୍ୟବହାର କରୁଛି ବୋଲି ଜେଲେନସ୍କି ଅଭିଯୋଗ କରିଛନ୍ତି ।

