ନନ୍ଦିଘୋଷ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନରେ ବି ସରକାରୀ କଳ ବ୍ୟବହାର ଅଭିଯୋଗ । ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ଅନ୍ୟ ଦଳ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ କରାଯାଇଥିବା ଅଭିଯୋଗ । ବିନା ହିଂସାକାଣ୍ଡରେ ବି ଅନେକ କଲେଜରେ ନିର୍ବାଚନ ବାତିଲ ନେଇ ଷଡ଼ଯନ୍ତ୍ର ଚାଲିଛି । ଗତକାଲି ଥିଲା ନାମାଙ୍କନ ଦାଖଲ ପ୍ରକ୍ରିୟା । ତେବେ ଅନେକ କଲେଜରେ ବିଜେପି ସମର୍ଥିତ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ଅନ୍ୟ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଯେଉଁଠି ଏବିଭିପିର ସଂଗଠନ ନାହିଁ ସେଠି ଜାଣିଶୁଣି ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଛି । ଏଭଳି ଷଡ଼ଯନ୍ତ୍ର ବିରୋଧରେ ବର୍ଷିଛି ବିଜୁ ଜନତା ଦଳ । କେଉଁଠି କଲେଜ ଅଧ୍ୟକ୍ଷଙ୍କୁ ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତ ଆଉ କେଉଁଠି ଖୋଦ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିବା ଅଭିଯୋଗକୁ ଶାଣିତ କରିଛି ବିଜେଡି । କିଛି ଦିନ ତଳେ ୨୦୫ଟି ଉଚ୍ଚଶିକ୍ଷାନୁଷ୍ଠାନରେ ବିନା କାରଣ ନିର୍ବାଚନ ବଦଳରେ ଚୟନ ପ୍ରକ୍ରିୟା କରିଥିବାରୁ ଅସନ୍ତୋଷ ବଢିଛି । ତେବେ ନିର୍ଦ୍ବନ୍ଦ୍ବରେ ଜିତିଥିବା ପ୍ରାର୍ଥୀ ଓ କଲେଜର ନାଁ ସାର୍ବଜନୀନ କରିଛି ବିଜେଡି । ହେଲେ ସରକାରୀ ଚାପରେ ବିଳମ୍ବିତ ରାତି ଯାଏଁ ପ୍ରାର୍ଥୀ ତାଲିକାକୁ କଲେଜ କର୍ତ୍ତୃପକ୍ଷ ପ୍ରକାଶ ନକରିବାରୁ ବିଜେଡିର ସନ୍ଦେହ ବଢିଛି ।
ସେପଟେ ସରକାରୀ ଦଳ ବିଜେପି ରକ୍ତରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି । ଏଭଳି ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ । ଏବିଭିପିର ସଂଗଠନ ନଥିବା କଲେଜ ଗୁଡିକରେ ଜାଣିଶୁଣି ନିର୍ବାଚନ ବାତିଲ କରାଯାଇଛି । ବିଜେପି ସଭାପତି ମନମୋହନ ସାମଲଙ୍କ ନିର୍ବାଚନ ମଣ୍ଡଳୀର କଲେଜ ଓ ଭଦ୍ରକ ମହିଳା ମହାବିଦ୍ୟାଳୟରେ ନିର୍ବାଚନ ବାତିଲ ହୋଇଛି । ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ମହାବିଦ୍ୟାଳୟରେ ସମାନ ଅବସ୍ଥା । ଧର୍ମଶାଳାକୁ ବିଧାୟକ ହିମାଂଶୁ ସାହୁ ଉତ୍ତର କୋରିଆ କରି ଦେଇଥିବାର କଟାକ୍ଷ କରିଛି କଂଗ୍ରେସ । ଅନ୍ୟ ଦଳର ଛାତ୍ର ନେତାଙ୍କୁ ଟଙ୍କା ଲୋଭ ଓ ଭୟ ଦେଖାଇ ବିଜେପି ସରକାରୀକଳ ଜରିଆରେ ପ୍ରଭାବିତ କରୁଥିବାର କଂଗ୍ରେସ ଅଭିଯୋଗ କରିଛି । ସେପଟେ ଗଣତନ୍ତ୍ରର ଚେତନା ଉଦୟକାରୀ ବିଷୟବସ୍ତୁ ସହ ଛାତ୍ରଛାତ୍ରୀଙ୍କ ଅଧିକାରର ସ୍ବର ଉଠାଉଥିବା ନେଇ ବିଜେପି ଯୁବ ମୋର୍ଚ୍ଚା ଯୁକ୍ତି ବାଢିଛି।
ଛାତ୍ର ସଂସଦ ନିର୍ବାଚନ ଜରିଆରେ କଲେଜରେ ଛାତ୍ରମାନଙ୍କୁ ଗଣତାନ୍ତ୍ରିକ ଅଧିକାରର ଶିକ୍ଷା ଦିଆଯାଇଥାଏ । ହେଲେ ଏଥିରେ ବି ସରକାରୀ କଳ ହସ୍ତକ୍ଷେପ କରୁଥିବାରୁ, ଛାତ୍ରଛାତ୍ରୀମାନଙ୍କ ଗଣତନ୍ତ୍ର ଉପରୁ ବିଶ୍ବାସ ଚାଲିଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

