ପୁରୀ: ବର୍ଜ୍ୟବସ୍ତୁ ପରିଚାଳନା ଘରେ ଝୁଲୁଛି ତାଲା । ଖତ ଖାଉଛି ୩ ଚକିଆ ଗାଡ଼ି । କାଗଜ ପତ୍ରରେ ବିଲ ଉଠୁଛି । ଅଥଚ ଗାଁ ଅପରିଷ୍କାର । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଫେଲ ମାରିଛି ସ୍ଵଚ୍ଛ ଭାରତ ମିଶନ ।… ଗାଁ ଠୁ ବଜାର ଯୁଆଡ଼େ ଦେଖିବେ ସିଆଡ଼େ ପଡ଼ିରହିଛି କୁଢ଼କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡ଼ୁଛି ପବିବେଶ । ଅଥଚ ଉଠୁନି ଅଳିଆ । ବର୍ଷା ଦିନେ ଅଳିଆ ପାଣିରେ ମିଶି ନାଳ ଜାମ ହେଉଛି । ସ୍ଵଚ୍ଛତା ପ୍ରତି ବ୍ଲକ ପ୍ରଶାସନର ଦୃଷ୍ଟି ନାହିଁ । ଫଳରେ ଡେଙ୍ଗୁ, ମ୍ୟାଲେରିଆ ରୋଗ ବ୍ୟାପୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ଅସ୍ତରଙ୍ଗ ବ୍ଲକର ନଈଗୁଆଁ, ଆଳଙ୍ଗପୁର, ଝାଡଲିଙ୍ଗ, ପାଟଳଦା ସମେତ ଅଧିକାଂଶ ପଞ୍ଚାୟତରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବର୍ଜ୍ୟବସ୍ତୁ ପରିଚାଳନା ଘର ତିଆରି ହୋଇଛି । ହେଲେ ତାହା ଲୋକଙ୍କ କାମରେ ଲାଗୁନି । ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ଘରର କାନ୍ଥ ଫାଟିଲାଣି ତ ଆଉ କେଉଁଠି କୁଣ୍ଡ ଭାଙ୍ଗିଲାଣି । ପଞ୍ଚାୟତକୁ ଦିଆଯାଇଥିବା ତିନି ଚକିଆ ବ୍ୟାଟେରୀ ଗାଡି ସରପଞ୍ଚଙ୍କ ଘର ଆଗରେ ବର୍ଷ ବର୍ଷ ଧରି ଖତ ଖାଉଛି। ଡ୍ରାଇଭର ନାହିଁ, ସଫେଇ କର୍ମଚାରୀ ବି ନାହାନ୍ତି । କିନ୍ତୁ ପ୍ରତି ମାସରେ ଡିଜେଲ, ମରାମତି ଓ ସଫେଇ ବାବଦରେ ବିଲ୍ ଉଠୁଛି । ଲୋକ ଦେଖାଣିଆ ପାଇଁ ଜିନିଷ ସବୁ ଅଛି,କିନ୍ତୁ କାମ କିଛି ନାହିଁ ।
ଗାଁକୁ ପରିଷ୍କାର ରଖିବା ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ସ୍ବଚ୍ଛ ଭାରତର ଡିଣ୍ଡିମ ପିଟୁଛନ୍ତି । ହେଲେ ପ୍ରଶାସନିକ ଅବହେଳାରୁ ତାହା ବାଟମାରଣା ହେଉଛି । ଆଉ ଅଳିଆ ଆବର୍ଜନା ଯୋଗୁଁ ପରିବେଶ ଦୂଷିତ ହେଉଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି ।

