ଦିଲ୍ଲୀ: ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ କୋଠା ଭୁଶୁଡ଼ି ୪ଜଣଙ୍କ ପ୍ରାଣହାନୀ ପରେ ଆଜି ସେହି ଅଞ୍ଚଳରେ ବିପଦସଂକୁଳ ଅବସ୍ଥାରେ ଥିବା କୋଠାଗୁଡ଼ିକ ଭାଙ୍ଗିବା ପାଇଁ ନୋଟିସ ଲଗାଇଛି ଦିଲ୍ଲୀ ମହାନଗର ନିଗମ। ମହାନଗର ନିଗମ ପକ୍ଷରୁ ସୀମାପୁରୀ ଅଞ୍ଚଳରେ ଥିବା ବେଆଇନ ଓ ବିପଦସଂକୁଳ ଅବସ୍ଥାରେ ଥିବା କୋଠାଗୁଡ଼ିକରେ ଥିବା ଲୋକଙ୍କୁ ନୋଟିସ ଦିଆଯାଇ ଖାଲି କରାଯାଉଛି। ଗତ ୭ ତାରିଖ ଦିନ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଥିବା ଏକ ବହୁତଳ ପ୍ରାସାଦ କୋଠା ଅଚାନକ ଭୁଶୁଡ଼ି ପଡ଼ିବାରୁ ୪ ଜଣ ଲୋକଙ୍କ ପ୍ରାଣହାନୀ ହେବା ସହ ଅନେକ ବ୍ୟକ୍ତି ଆହତ ହୋଇଥିଲେ। ସେହିପରି ଗତମାସରେ ଦିଲ୍ଲୀର ସତ୍ଯ ନିକେତନରେ କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଦିଲ୍ଲୀରେ ବେଆଇନ ଭାବେ ବହୁ ସଂଖ୍ୟାରେ କୋଠା ଠିଆ ହୋଇଛି। ଏସବୁ କୋଠାଗୁଡ଼ିକ ସ୍ଥାନୀୟ ପ୍ରଶାସନର ବିନା ଅନୁମତିରେ ନିର୍ମାଣ ହେବା ସହ ଅଧିକାଂଶ ବିପଦସଂକୁଳ ଅବସ୍ଥାରେ ରହିଛି। ଏକାଧିକ ଥର ଦିଲ୍ଲୀରେ କୋଠା ଭୁଶୁଡ଼ି ମୃତାହତ ଘଟଣା ସାମ୍ନାକୁ ଆସିଛି।

