ନନ୍ଦିଘୋଷ ବ୍ୟୁରୋ: ବର୍ଷା ଓ ବନ୍ୟା ବିତ୍ପାତରେ ଧ୍ଵସ୍ତ ଶିମିଳିପାଳ ଏଣ୍ଟ୍ରି ରାସ୍ତା । ଭାଙ୍ଗିଯାଇଛି ଲୁଲୁଙ୍ଗ ସମେତ ବିଭିନ୍ନ ପୋଲ । ପର୍ଯ୍ୟଟକ ନିରାଶ । ସାଧାରଣତଃ ଦୁର୍ଗାପୂଜା କିମ୍ବା ଅକ୍ଟୋବର ମାସ ଆରମ୍ଭରେ ଖୋଲିଥାଏ ଶିମିଳିପାଳ ଜାତୀୟ ଉଦ୍ୟାନ । ହେଲେ ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟାର ପ୍ରକୋପରେ ଧ୍ୱଂସପ୍ରାୟ ହୋଇପଡ଼ିଛି ଶିମିଳିପାଳର ପ୍ରବେଶ ପଥ ଓ ପୋଲ । ଚାନ୍ଦିଖମଣ ପାହାଡ଼ରେ ଭୂସ୍ଖଳନ ହେବା ଦ୍ଵାରା ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଫଳରେ ବରେହିପାଣି ଓ ଯୋରନ୍ଦାର ଜଳପ୍ରପାତ, ଅରଣ୍ୟ ନିବାସ କିମ୍ବା ସନସେଟ ପଏଣ୍ଟର ଅପୂର୍ବ ଦୃଶ୍ୟ ଦେଖିବାକୁ ଆସୁଥିବା ପର୍ଯ୍ୟଟକ ଉଦ୍ୟାନ ଭିତରକୁ ଯାଇ ପାରୁନାହାନ୍ତି ।
ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ କେବଳ ଶିମିଳିପାଳରେ ହିଁ ୭୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଫଳରେ ରାସ୍ତା ନଷ୍ଟ ହୋଇ ଯାଇଛି । ଭିତରକୁ ଯିବା ପାଇଁ ରାସ୍ତା ନାହିଁ । ପରିସ୍ଥିତି ଏପରି ହୋଇଛି, ଶିମିଳିପାଳ କେବେ ସ୍ୱାଭାବିକ ହେବ କହିବା ମୁସ୍କିଲ । ସ୍ଥାନୀୟ ଜନପ୍ରତିନିଧି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ବିକଳ୍ପ ରାସ୍ତା ଓ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି।

