ନନ୍ଦିଘୋଷ ବ୍ୟୁରୋ: ରିୟାଦକୁ ଉଡ଼ିବନି କୌଣସି ଭାରତୀୟ ବିମାନ । ସାଉଦି ଆରବରେ ସୁରକ୍ଷା ପରିସ୍ଥିତି ଜଟିଳ ହେବା ପରେ ରିୟାଦରୁ ଉଡ଼ାଣ ଭରୁଥିବା ଓ ରିୟାଦରୁ ଆସୁଥିବା ସମସ୍ତ ଫ୍ଲାଇଟ୍ କୁ ବାତିଲ କରାଯାଇଛି ।
ସୂଚନାଥାଉ କି, ଗୁରୁବାର ଏୟାର ଇଣ୍ତିଆ, ଇଣ୍ତିଗୋ ଓ ଏୟାର ଇଣ୍ତିଆ ଏକ୍ସପ୍ରେସ୍ ପକ୍ଷରୁ ରିୟାଦକୁ ଉଡ଼ାଣ ଭରୁଥିବା ଓ ରିୟାଦରୁ ଆସୁଥିବା ସମସ୍ତ ଫ୍ଲାଇଟ୍ କୁ ବାତିଲ କରାଯାଇଛି। ଅକ୍ଟୋବର ୧୦ ପର୍ଯ୍ୟନ୍ତ ରିୟାଦକୁ ଉଡ଼ାଣ ବନ୍ଦ ରହିବ ବୋଲି ଏୟାରଲାଇନ ଗୁଡ଼ିକ ପକ୍ଷରୁ ସୂଚନା ମିଳିଛି । ତେବେ ବିମାନ ଯ।ତ୍ରା ଲାଗି ଟିକେଟ୍ ବୁକ୍ କରିଥିବା ସମସ୍ତ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ ବୋଲି କୁହାଯାଇଛି । ଏନେଇ ଏୟାର ଇଣ୍ତିଆ ଏକ୍ସପ୍ରେସର ମୁଖପାତ୍ର କହିଛନ୍ତି ଯେ, ସେଠାର ପରିସ୍ଥିତି ବାରମ୍ବାର ବଦଳୁଥିବାରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ରିୟାଦକୁ ଓ ରିୟାଦରୁ ଆସୁଥିବା ସମସ୍ତ ଫ୍ଲାଇଟ୍ କୁ ବାତିଲ କରାଯାଇଛି । ଟିକେଟ୍ ବୁକ୍ କରିଥିବା ସମସ୍ତ ଯାତ୍ରୀଙ୍କୁ ବିନା ଅତିରିକ୍ତ ଖର୍ଚ୍ଚରେ ଅନ୍ୟ ତାରିଖରେ ଯାତ୍ରା କରିବା ନେଇ ସୁଯୋଗ ଦିଆଯିବ । ତେବେ ଟିକେଟ୍ କ୍ୟାନସଲ୍ କରିବାକୁ ଚାହୁଁଥିବା ଯାତ୍ରୀଙ୍କୁ ସମସ୍ତ ଟଙ୍କା ଫେରସ୍ତ କରାଯିବ।
ଇରାନ୍ ସମର୍ଥିତ ହୁତି ବିଦ୍ରୋହୀମାନେ ଗତ କିଛି ଦିନ ହେବ ସାଉଦି ଆରବର ସାମରିକ ଘାଟି, ବିମାନ ବନ୍ଦର ଓ ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିବା ଦାବି କରିଆସୁଛନ୍ତି । ଏହା ସହ ସାଉଦି ଆରବର ଆକାଶସୀମାକୁ ସେମାନେ ସାମରିକ ଅଭିଯାନର କ୍ଷେତ୍ର କହିବା ସହ ସେଠାରେ ବିମାନ ଚଳାଚଳ କରୁଥିବା କମ୍ପାନୀ ଗୁଡ଼ିକୁ ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଚେତାବନୀ ଦେଇଥିଲେ । ସାଉଦ ରାଜଧାନୀ ରିୟାଦ ଉପରେ ବାରମ୍ବାର ବିସ୍ଫୋରଣ ଶଦ୍ଦ ଶୁଣାଯିବାର କିଛି ସମୟ ପରେ ଏୟାରଲାଇନ୍ ପକ୍ଷରୁ ଏହି ଘୋ।ଷଣା କରାଯାଇଥିଲା । ସମସ୍ତ ଏୟାରପୋର୍ଟ ଗୁଡ଼ିକୁ ସୁରକ୍ଷା ବଳୟରେ ରଖାଯାଇଥିବା ବେଳେ ଆକ୍ରମଣକୁ ପଣ୍ତ କରିବା ଲାଗି ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ହାଇଆଲର୍ଟରେ ରଖାଯାଇଛି ବୋଲି ସାଉଦି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

