ନନ୍ଦିଘୋଷ ବ୍ୟୁରୋ: SIR ପ୍ରସଙ୍ଗ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଛି ବିରୋଧୀଙ୍କ ଅଭିଯାନ । ଗତ ତିନି ଦିନ ଧରି ଇଣ୍ଡିଆ ମେଣ୍ଟର ସାଂସଦଙ୍କ ବିରୋଧ ପ୍ରଦର୍ଶନ ଆକ୍ରମଣାତ୍ମକ ହୋଇଛି । ଆଉ ଇଣ୍ଡିଆ ମେଣ୍ଟ ଆଜି ଚତୁର୍ଥ ଦିନରେ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି କରି ଏକ ବଡ ପ୍ରତିବାଦ କରିବାକୁ ଯୋଜନା କରୁଛି । ଏହାସହ ଇଣ୍ଡିଆ ମେଣ୍ଟର ନେତାମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର ମଧ୍ୟ ଯୋଜନା ରହିଛି । ଏନେଇ ଇଣ୍ଡିଆ ମେଣ୍ଟର ୧୦ ଜଣିଆ ପ୍ରତିନିଧିଦଳ ରାଷ୍ଟ୍ରପତି ଭବନକୁ ସାକ୍ଷାତ ପାଇଁ ଯାଇପାରନ୍ତି । ଏଥିପାଇଁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଦିଲ୍ଳୀରେ ପହଁଞ୍ଚିଛନ୍ତି । ରାହୁଲ ଗାନ୍ଧୀ ଶିବସେବା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ ଏବଂ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଫୋନ୍ କରି ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ହେଲେ ରାଷ୍ଟ୍ରପତି ଭବନରେ ବୈଠକ ପାଇଁ ଏପର୍ଯ୍ୟନ୍ତ କୌଣସି ସମୟ ସ୍ଥିର କରାଯାଇନାହିଁ । ତେବେ ମହାମହିମଙ୍କୁ ଭେଟିବା ପୂର୍ବରୁ ଇଣ୍ଡିଆ ମେଣ୍ଟର ସାଂସଦମାନେ ସେମାନଙ୍କର ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବା ପାଇଁ ସଂସଦର ସେଣ୍ଟ୍ରାଲ ହଲ୍ ରେ ଅପରାହ୍ଣ ୩ଟାରେ ବୈଠକ କରିବେ । ସୂତ୍ର ଅନୁସାରେ, ପ୍ରତିବାଦ ପାଇଁ ସେବା ତୀର୍ଥ, ରାଷ୍ଟ୍ରପତି ଭବନ, ଉପରାଷ୍ଟ୍ରପତିଙ୍କ ବାସଭବନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ଟାର୍ଗେଟରେ ରହିଛି ।
ଇଣ୍ଡିଆନ୍ ଏକପ୍ରେସ୍ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ପରେ ବିରୋଧୀଙ୍କ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଉଗ୍ର ହାେଇଛି । ସେପ୍ଟେମ୍ବର ୨୩ ତାରିଖର ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ଯେ, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବୋକ ଜୋଶୀ ଗତ ୧୦ ମାସ ମଧ୍ୟରେ ଅତି କମରେ ୧୪ ଥର ଆପତ୍ତି ଉଠାଇଛନ୍ତି । ଯାହା ମୁଖ୍ୟତଃ ଭୋଟର ତାଲିକାର ଏସଆଇଆର ସହିତ ଜଡିତ ନିଷ୍ପତ୍ତି ଏବଂ ଆଦେଶ ସହ ଜଡିତ । ଏହି ମାମଲାକୁ ନେଇ ଅକ୍ଟୋବର ୨ ତାରିଖରୁ ପ୍ରତିବାଦ ଆରମ୍ଭ ହୋଇଛି । ଯେଉଁଥିରେ ବିରୋଧୀଙ୍କ ୫ଟି ଦାବି ରହିଛି । ଏହି ଦାବିଗୁଡିକ ହେଲା:
୧. ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ।
୨. ଭୋଟର ତାଲିକାରେ ସ୍ବଚ୍ଛତା ରହିବା ଉଚିତ ।
୩. ଏସଆଇଆର୍ ପୂର୍ବରୁ ଭୋଟର ତାଲିକା ବ୍ୟବହାର କରାଯିବା ଉଚିତ ।
୪. ଇଭିଏମ୍ ବଦଳରେ ବାଲଟ୍ ପେପରରେ ନିର୍ବାଚନ କରାଯାଉ ।
୫. ନିର୍ବାଚନ କମିଶନଙ୍କ ଦାୟିତ୍ବ ସ୍ଥିର କରାଯିବା ଉଚିତ ।
ସେପଟେ ଏହାକୁ ନେଇ ମାମଲାର ସମାଧାନ କରିବା ପରିବର୍ତ୍ତେ ମୁହଁତୋଡ ଦେଖାଉଛି ବିଜେପି । କୋର୍ଟଙ୍କ ଆଳ ଦେଖାଇ ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରୁଛି । କିନ୍ତୁ ଅନ୍ୟ ମାମଲା ପରି ଏହି ମାମଲାକୁ ଚାପିଦେବା ବିଜେପି ପାଇଁ ଏତେ ସହଜ ହେବ ନାହିଁ । କାରଣ କେନ୍ଦ୍ର ସରକାରଙ୍କ ମନମୁଖୀ ନୀତିର ପର୍ଦ୍ଦାଫାସ୍ କରିବାକୁ ଏବେ ସମସ୍ତେ ଅଣ୍ଟା ଭିଡିଲେଣି ।

