ଭୁବନେଶ୍ବର: ଇଣ୍ଡି ମେଣ୍ଟର ବନ୍ଦ ପାଇଁ ଠପ୍ ଭୁବନେଶ୍ବର । ଚାଲିଲାନି ଗାଡ଼ି ମଟର, ଦ୍ବିପ୍ରହର ଯାଏଁ ଦୋକାନ ବଜାର ବନ୍ଦ । ବରମୁଣ୍ଡା BSBT ବସଷ୍ଟାଣ୍ଡରେ ଫସି ରହିଲେ ଯାତ୍ରୀ । ଖୋଲାଥିବା ବ୍ୟାଙ୍କକୁ ମଧ୍ୟ ବନ୍ଦ କଲେ କଂଗ୍ରେସ କର୍ମୀ । ରାଜଧାନୀ ଭୁବନେଶ୍ବରରେ ଇଣ୍ଡି ମେଣ୍ଟର ୧୨ ଘଣ୍ଟିଆ ବନ୍ଦ ଡାକରାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । MMDR ସଂଶୋଧନ ଆଇନ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫ, ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ସହ ଚଳିତ ବର୍ଷ ବନ୍ୟା ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେବାରେ ସରକାର ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ବନ୍ଦ ପାଳନ କରିଛି ଇଣ୍ଡି ମେଣ୍ଟ । କଂଗ୍ରେସ ସମେତ ଇଣ୍ଡି ମେଣ୍ଟର ପ୍ରମୁଖ ସହଯୋଗୀ ମାନେ ରାଜ୍ୟର ପ୍ରମୁଖ ସ୍ଥାନ ମାନଙ୍କରେ ପିକେଟିଂ କରିବା ସହ ବନ୍ଦ ପାଳନ କରିଥିଲେ । ଯଦିଓ ମୁଖ୍ୟ ସଡ଼କ ଗୁଡ଼ିକରେ ପୋଲିସ୍ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ କିନ୍ତୁ ଦିନ ଦ୍ବିପ୍ରହର ଯାଏଁ ସହରର ପ୍ରମୁଖ ବ୍ୟବସାୟ ସ୍ଥଳମାନଙ୍କରେ ଦେଖିବାକୁ ମିଳିଥିଲା ଅଦିନିଆ ଲକ୍ ଡାଉନ୍ । ବିଶେଷକରି ଜନପଥ ଏଥିରେ ପ୍ରଭାବିତ ହୋଇଥିଲା । ବାଣୀବିହାରରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା ସମସ୍ତ ଦୋକାନ ବଜାର । ଅନ୍ୟପଟେ ସହରର ବିଭିନ୍ନ ବ୍ୟାଙ୍କ ଖୋଲା ରହିଥିବା ବେଳେ କଂଗ୍ରେସ କର୍ମୀ ପହଞ୍ଚି ସେଗୁଡ଼ିକୁ ବନ୍ଦ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କକୁ ବନ୍ଦ ରଖିଥିଲେ ବ୍ୟାଙ୍କ କର୍ମଚାରୀ ।
ଅନ୍ୟପଟେ ବିଭିନ୍ନ ଜିଲ୍ଲାରୁ ମେଡିକାଲ ଆସିଥିବା ରୋଗୀମାନେ ଏହି ବନ୍ଦ ଯୋଗୁଁ ବିଶେଷ ପ୍ରଭାବିତ ହୋଇଛନ୍ତି । ବରମୁଣ୍ଡା BSBT ବସ୍ ଟର୍ମିନାଲରୁ ବସ୍ ନଗଡ଼ିବା କାରଣରୁ ଶହ ଶହ ଯାତ୍ରୀ ଟର୍ମିନାଲରେ ଫସି ରହିଥିଲେ । ହସ୍ପିଟାଲ ଆସିଥିବା କିଛି ରୋଗୀ ମଧ୍ୟ ଟର୍ମିନାଲରେ ଫସି ଯାଇଥିଲେ । ଅନ୍ୟପଟେ ଜୟଦେବ ବିହାର ଛକରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜୟଦେବ ବିହାର ଛକରେ ମଧ୍ୟ କିଛି ରୋଗୀ ମେଡିକାଲ ଯାଇ ନପାରି ଅଟକି ରହିଥିଲେ ।
ସ୍ଵାସ୍ଥ୍ୟ ସେବାରେ କୌଣସି ବାଧା ସୃଷ୍ଟି ନକରିବାକୁ ପୂର୍ବରୁ ଇଣ୍ଡିମେଣ୍ଟ ଘୋଷଣା କରିଥିବା ବେଳେ ଏଥିରେ ଏକ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଯଦିଓ ଆମ୍ବୁଲାନ୍ସ ଗୁଡ଼ିକୁ ଆନ୍ଦୋଳନକାରୀ ମାନେ ଛାଡ଼ିଥିଲେ କିନ୍ତୁ ଅନେକ ରୋଗୀ ଗାଡ଼ି ମୋଟର ଜାମ୍ ଯୋଗୁଁ ଫସି ରହିଥିଲେ ।

