ନନ୍ଦିଘୋଷ ବ୍ୟୁରୋ: ପ୍ରେମାନନ୍ଦ ମହାରାଜଙ୍କର ଶିଷ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବିବାଦ ଘେରରେ ଛନ୍ଦି ହୋଇ ରହିଛି କେଳିକୁଞ୍ଜ ଆଶ୍ରମ । ଦିନକୁ ଦିନ ଏହାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଉ ଏବେ ଏଥିରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ନାଁ ମଧ୍ୟ ଜୋଡି ହୋଇଛି । ଅଭିଯୋଗ ହୋଇଛି ଯେ, ବିରାଟ ବାବାଙ୍କ ଆଶ୍ରମକୁ ଆସିବାକୁ ୫ କୋଟି ଟଙ୍କା ନେଇଥିଲେ । ସୂଚନା ମୁତାବକ, ବିରାଟ ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଅନେକ ଥର ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିଛନ୍ତି। ଯାହାକୁ ନେଇ ଏବେ ମୁଣ୍ଡ ଟେକିଛି ବିବାଦ । ଫଳାହାରୀ ବାବା ଦିନେଶ ଶର୍ମା ଅଭିଯୋଗ ଆଣିଛନ୍ତି ଯେ, ବିରାଟ କୋହଲି ୫ କୋଟି ଟଙ୍କା ନେଇ ବାବାଙ୍କୁ ଭେଟିଥିଲେ । ଯାହାର ଯବାବ ରଖିଛି ବିରାଟଙ୍କ ଟିମ୍ । ବିରାଟ କୋହଲିଙ୍କ ମୁଖପାତ୍ରଙ୍କ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଆମେ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛୁ ଯେ, ଫଳାହାରୀ ମହାରାଜ ଦିନେଶ ଶର୍ମା ବିରାଟ କୋହଲିଙ୍କ ସମ୍ପର୍କରେ କରିଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଏବଂ ତଥ୍ୟଗତ ଭାବେ ଭୁଲ । ପ୍ରେମାନନ୍ଦ ମହାରାଜ ଜୀଙ୍କ ପ୍ରତି ତାଙ୍କର ଗଭୀର ବିଶ୍ବାସ ଓ ଭକ୍ତି ପାଇଁ ହିଁ ସେ ତାଙ୍କ ପାଖକୁ ଯାଉଥିଲେ । ବିରାଟଙ୍କ ଟିମ୍ ଆହୁରି କହିଛି ଯେ, ଆମେ ଏହି ଦାବିଗୁଡିକୁ ଦୃଢ ଭାବରେ ଖଣ୍ଡନ କରୁଛି ଏବଂ ଗଣମାଧ୍ୟମରେ ଏଭଳି ବିବୃତ୍ତି ପ୍ରକାଶ କରିବା ପୂର୍ବରୁ ଯତ୍ନବାନ ହେବା ସହ ତଥ୍ୟ ଯାଞ୍ଚ କରିବାକୁ ଅପିଲ୍ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏକ ଜାତୀୟ ଗଣମାଧ୍ୟମରେ କୋହଲିଙ୍କ ବିଷୟରେ ଏଭଳି ସାଂଘାତିକ ଦାବି କରାଯାଇଛି । ଯେଉଁଥିରେ ପ୍ରୋପର୍ଟି ବିଲ୍ଡର ଲବି ଏବଂ ରାଜସ୍ଥାନର ଏକ ଘରୋଇ କମ୍ପାନୀ ବିରାଟଙ୍କୁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଆଣିବାକୁ ୫ କୋଟି ଟଙ୍କା ଦେଇଥିବା ଅଭିଯୋଗ ହୋଇଛି ।
ଯଦି ଦେଖିବା ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ୨୦୨୩ ମସିହାରେ ପ୍ରଥମଥର ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଯାଇଥିଲେ । ଯାହାପରେ ସେ ଅନେକ ଥର ମହାରାଜ ଜୀଙ୍କ ଆଶ୍ରମକୁ ଯାଇ ତାଙ୍କୁ ଭେଟିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ମଧ୍ୟ ଏହାର ଅନେକ ଭିଡିଓ ଭାଇରାଲ ହୋଇଛି । ଆଉ ବିରାଟଙ୍କ ଯିବା ପରେ ପ୍ରେମାନନ୍ଦ ମହାରାଙ୍କ ସୋସିଆଲ ମିଡିଆରେ ଫଲୋର୍ସ ମଧ୍ୟ ଢେର ଅଧିକ ବଢିଯାଇଛନ୍ତି ।

