ନନ୍ଦିଘୋଷ ବ୍ୟୁରୋ: ଋଷ ଦକ୍ଷିଣ ତଟ ନିକଟସ୍ଥ ଏକ ତୈଳ ଟ୍ୟାଙ୍କରରେ ଭୟାବହ ଅଗ୍ନିକାଣ୍ଡ । ୟୁକ୍ରେନର ନୌସେନା ଡ୍ରୋନ୍ ସାହାଯ୍ୟରେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଲାଇବେରିୟା ପତାକାଧାରୀ ଏହି ଟ୍ୟାଙ୍କର ଉପରେ ‘ବ୍ଲାକ ସି’ ମଧ୍ୟରେ ଆକ୍ରମଣ ହୋଇଥିବା ଋଷ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅଗ୍ନିଶମ କର୍ମଚାରୀମାନେ ସହଜରେ ନିଆଁକୁ ନିୟନ୍ତ୍ରଣ କରିପାରି ନଥିଲେ । ଜାହାଜରେ ଥିବା ସମସ୍ତ ୨୩ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସମସ୍ତେ କର୍ମଚାରୀ ଭାରତୀୟ ନାଗରିକ ବୋଲି ଜଣାପଡ଼ିଛି।
ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, କର୍ତ୍ତୃପକ୍ଷ ବେଳାଭୂମିର କିଛି ଅଂଶ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ସାଧାରଣ ଲୋକଙ୍କ ପ୍ରବେଶକୁ ନିଷେଧ କରିଛନ୍ତି । ସିରିୟସ୍ ଫେଡେରାଲ୍ ଟେରିଟୋରୀ ମୁଖ୍ୟ ଦିମିତ୍ରୀ ପ୍ଲିସକିନ୍ ଟ୍ୟାଙ୍କର୍ ଅଗ୍ନିକାଣ୍ଡକୁ ନିଶ୍ଚିତ କରିବା ସହ ସ୍ଥାନୀୟ ବେଳାଭୂମିକୁ ଅସ୍ଥାୟୀ ଭାବେ ବନ୍ଦ ଘୋଷଣା କରିଛନ୍ତି।
ସେ କହିଛନ୍ତି, “’ବ୍ଲାକ ସି’ରେ ଥିବା ଏକ ଟ୍ୟାଙ୍କରରେ ଅଗ୍ନିକାଣ୍ଡ ଘଟିଛି। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସିରିୟସ୍ ର ସମୁଦ୍ରକୂଳ ଗୁଡ଼ିକ କିଛି ସମୟ ପାଇଁ ବନ୍ଦ ରହିବ । ଜଳବାୟୁର ସ୍ଥିତି ଉପରେ କ୍ରମାଗତ ଭାବେ ନଜର ରଖାଯାଉଛି। ଅଧିକାରୀମାନେ ଋଷିଆର ଜଳ-ପାଣିପାଗ ବିଜ୍ଞାନ ସେବା ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି “।
ଉଭୟ ପକ୍ଷ ଆକ୍ରମଣକୁ ତୀବ୍ର କରିବା ନେଇ ଯୋଜନା କରୁଥିବା ସୂଚନା ମିଳିଛି। ଋଷିଆ କିଭ ଉପରେ ଡ୍ରୋନ ଆକ୍ରମଣ ଓ ପ୍ରମୁଖ ସେତୁ ଉପରେ ଆକ୍ରମଣକୁ ଜୋରଦାର କରିଛି । ଯାହା ଦ୍ଵାରା ୟୁକ୍ରେନର ରାଜଧାନୀରେ ପ୍ରବଳ କ୍ଷତି ହୋଇଛି । ବର୍ତ୍ତମାନ ସମୟରେ ଦକ୍ଷିଣ ଋଷରେ ୟୁକ୍ରେନର ସମ୍ପ୍ରତି ଆକ୍ରମଣ ଯୋଗୁଁ ତୈଳ ଉତ୍ପାଦନ ପ୍ରଭାବିତ ହେବା ସହ ବେଳାଭୂମି ବନ୍ଦ ଓ ଅନ୍ୟାନ୍ୟ ପରିବେଶଗତ ଚିନ୍ତା ବୃଦ୍ଧି ପାଇଛି।

