ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ଫୁଟିଛି ବିଦେଶୀ ଫୁଲ । ମନମୋହୁଛି ଜମୁ-କାଶ୍ମୀରର ଏସିଆଟିକ୍ ଲିଲି । ଯେଉଁ ଫୁଲ ୫ ହଜାର ଫୁଟ ଉଚ୍ଚତାର ଶୀତଳ ପରିବେଶରେ ଫୁଟେ । ସେହି ଫୁଲ ଏବେ ରାଜଧାନୀ ଭୁବନେଶ୍ଵରରେ ଫୁଟିଛି । ଶୀତତାପ ନିୟନ୍ତ୍ରିତ କୋଠରୀରେ ହିଁ ଫୁଟିଛି କାଶ୍ମୀରର ଲିଲି ଫୁଲ । ଗୋଟିଏ କି ଦୁଇଟି ନୁହେଁ । ଏକାଥରକେ ଫୁଟିଛି ୬ ରୁ ୭ ପ୍ରକାରର ୨ ଶହ ଫୁଲ ।
ହାଇଡ୍ରୋଫୋନିକ ପଦ୍ଧତି ବା ବିନା ମାଟିରେ ଫୁଲ ଫୁଟାଇଛନ୍ତି ସୁବ୍ରତ । କେଉଁଠି କଢ଼ି ଧରିଛି ତ କେଉଁଠି ଫୁଟିଛି ରଙ୍ଗବେରଙ୍ଗର ଫୁଲ । ପୂରା ଘର ଭରିଯାଇଛି ଲିଲିର ସୌନ୍ଦର୍ଯ୍ୟ ଓ ସୁଗନ୍ଧରେ । ସୁବ୍ରତ ବିଦେଶରୁ ଦାମୀ ଏସିଆଟିକ୍ ଲିଲି ଫୁଲ ମଞ୍ଜି ଆଣି ଘରେ ଫୁଲ ଫୁଟାଇ ଚାଷୀଙ୍କୁ ଦେଖାଇଛନ୍ତି ନୂଆ ରାହା । ପରୀକ୍ଷଣରେ ଅନେକ ଥିଲା ଚ୍ୟାଲେଞ୍ଜିଂ । କାରଣ କାଶ୍ମୀରର ଶୀତଳ ପରିବେଶ ଏବଂ ଓଡ଼ିଶାର ଉଷ୍ମ ଓ ଆର୍ଦ୍ର ପାଣିପାଗ ମଧ୍ୟରେ ରହିଛି ବଡ଼ ତଫାତ । କିନ୍ତୁ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି କୃଷି ବିଶେଷଜ୍ଞ । ଯାହା ଭାରତ ବର୍ଷରେ ପ୍ରଥମ ।

