କେନ୍ଦୁଝର : ଅବ୍ୟବସ୍ଥା ଘେରରେ ସରକାରୀ ପ୍ରାଥମିକ ବିଦ୍ୟାଳୟ। ବାରଣ୍ଡାରେ ଚାଲିଛି ପାଠପଢ଼ା । ସ୍କୁଲ ପରିସରରେ ପୋଖରୀର ଭ୍ରମ। ଆଣ୍ଠୁଏ ଉଚ୍ଚର ପାଣିରେ ପଶି ଯିବାଆସିବା କରୁଛନ୍ତି ପିଲା। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଡିହସାହି ପ୍ରାଥମିକ ବିଦ୍ୟାଳୟର ଏ ଦୃଶ୍ୟ । ଏଠାରେ ୬ ଟି ଶ୍ରେଣୀରେ ୪୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ହେଲେ ପଢିବାକୁ ଶ୍ରେଣୀଗୃହ ନାହିଁ। ପୁରୁଣା କ୍ଲାସରୁମ ଭାଙ୍ଗିରୁଜି ଯାଇଛି। ଗୋଟିଏ ରୁମରେ ଅଫିସ ଚାଲିଥିବା ବେଳେ ଦୁଇଜଣ ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀ ସେହିଠାରେ ବସୁଛନ୍ତି।
ନୂତନ ଭାବେ ନିର୍ମିତ କୋଠା ହସ୍ତାନ୍ତର କରାଯାଉନଥିବା ଅଭିଯୋଗ ହୋଇଛି। ନୂତନ ଶ୍ରେଣୀ ଗୃହ ନିମନ୍ତେ ବାରମ୍ବାର ଅଭିଯୋଗ ହେବା ପରେ ଜିଲ୍ଲା ଖଣିଜ ପାଣ୍ଠିରୁ ୨୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ଏକ ନୂତନ ଗୃହ ନିର୍ମାଣ ହୋଇଥିଲା। ଦୀର୍ଘ ୬ ମାସରୁ ଉର୍ଦ୍ଧ ହେବ ଏହି ନିର୍ମାଣ ସରିଥିଲେ ସୁଦ୍ଧା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଉନାହିଁ। ଅନ୍ୟପଟେ ବିଡ଼ିଓଙ୍କ ସହିତ କଥା ହୋଇ ତୁରନ୍ତ ନୂତନ ଗୃହକୁ ହସ୍ତାନ୍ତର କରିବା ଦିଗରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ।

