ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣରେ ବଢ଼ିଲା ଇଣ୍ଡି ମେଣ୍ଟର ଶକ୍ତି। ଇଣ୍ଡି ମେଣ୍ଟରେ ସାମିଲ ହେଲା ତାମିଲଗା ଭେଟ୍ଟରି କାଝାଗମ ବା ଟିଭିକେ । ଅଭିନେତା ତଥା ରାଜନେତା ବିଜୟ ନେତୃତ୍ବାଧୀନ ଟିଭିକେ ଇଣ୍ଡି ମେଣ୍ଟରେ ସାମିଲ ହେବା ପରେ ଏହାର ପ୍ରଭାବ ଜାତୀୟ ରାଜନୀତି ଉପରେ ପଡ଼ିଛି। ଇଣ୍ଡି ମେଣ୍ଟରେ ଟିଭିକେର ସାମିଲ ହେବା ଘଟଣାକୁ ଐତିହାସିକ କହିଛି ରାଜ୍ୟ କଂଗ୍ରେସ। ଚେନ୍ନାଇ ସ୍ଥିତ ତାମିଲନାଡୁ କଂଗ୍ରେସ କମିଟି ଅଫିସରେ ବସିଥିବା ବୈଠକରେ ଟିଭିକେ, ସିପିଏମ, ସିପିଆଇ, ଭିସିକେ, ଏମଡିଏମକେ ଓ ଆଇୟୁଏମଏଲ ସାମିଲ ହୋଇଥିଲେ। ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ନେଇ ସାରା ଦେଶରେ ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଇଣ୍ଡି ମେଣ୍ଟରେ ଟିଭିକେ ସାମିଲ ହେବା ଘଟଣା ଏହି ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବ। ଅନୁଷ୍ଠିତ ବୈଠକରେ ଟିଭିକେ ପକ୍ଷରୁ ସାମିଲ ହୋଇଥିଲେ ଅଧବ ଅର୍ଜୁନ ଓ ମାରିଆ ଉଇଲସନ। ଆସନ୍ତା ଅକ୍ଟୋବର ୧୩, ୧୪ ଓ ୧୫ରେ ଚେନ୍ନାଇରେ ସିଇସି ପ୍ରସଙ୍ଗରେ ଆନ୍ଦୋଳନ କରାଯିବ ଏବଂ ଏଥିରେ ସମସ୍ତ ୭ଟି ଯାକ ଦଳ ସାମିଲ ହେବେ ।

