ଚିନ୍ତା ବଢ଼ାଇଛି ଖାଲି ପଦବୀ; ୧୭ ବିଶ୍ବବିଦ୍ୟାଳୟରେ ୧୪୩୫ ପଦ ଖାଲି
ନନ୍ଦିଘୋଷ ବ୍ୟୁରୋ: ଚିନ୍ତା ବଢାଇଲାଣି ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ପ୍ରାଧ୍ୟାପକ, ସହକାରୀ ଓ ଆସେସିଏଟ ପ୍ରାଧ୍ୟାପକ ପଦ । ଯାହାକୁ ନେଇ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବାରେ ଲାଗିଛି । ଏହାକୁ ତୁରନ୍ତ ପୂରଣ କରିବାକୁ ଆଜି କୁଳପତିମାନଙ୍କ ସମ୍ମିଳନୀ ଡକାଇଥିଲେ ରାଜ୍ୟପାଳ ତଥା କୁଳାଧିପତି ଡକ୍ଟର ହରି ବାବୁ କୁମ୍ଭମପାଟି । ନଭେମ୍ବର ସୁଦ୍ଧା ସାକ୍ଷାତକାର ପ୍ରକ୍ରିୟା ସାରି ନୂତନ ଶିକ୍ଷା ବର୍ଷରେ ଖାଲି ପଦ ପୂରଣ କରିବାକୁ କୁଳାଧିପତି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କୁଳପତିମାନେ ବି ଖାଲି ପଦବୀ ନେଇ ଉଦବେଗ ପ୍ରକାଶ କରିଛନ୍ତି ।
ଦୀର୍ଘ ଦିନରୁ ବିଶ୍ବବିଦ୍ୟାଳୟ ଗୁଡିକରେ ପ୍ରାଧ୍ୟାପକ, ସହକାରୀ ଓ ଆସୋସିଏଟ ପ୍ରାଧ୍ୟାପକ ପଦ ଖାଲି ରହିଛି । ଏହି ପଦବୀ ପୂରଣ ହୋଇ ପାରୁ ନଥିବାରୁ ଶିକ୍ଷାଦାନ, ପରୀକ୍ଷା ଓ ଫଳ ପ୍ରକାଶନ ବାଧାପ୍ରାପ୍ତ ହେଉଛି । ଏ ସବୁ ପଦବୀ ପୂରଣ ପାଇଁ ଆଜି ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କୁ ନେଇ ଲୋକଭବନରେ ହୋଇଥିବା ସମୀକ୍ଷା କରିଥିଲେ ରାଜ୍ୟପାଳ ତଥା କୁଳାଧିପତି ଡକ୍ଟର ହରି ବାବୁ କୁମ୍ଭମପାଟି । ରାଜ୍ୟର ୧୭ ବିଶ୍ବବିଦ୍ୟାଳୟରେ ଖାଲି ଥିବା ୧୪୩୫ ପଦବୀ ପୂରଣ ପାଇଁ ଆସନ୍ତା ନଭେମ୍ବର ସୁଦ୍ଧା ୫୭ ହଜାରରୁ ଅଧିକ ଆବେଦନର ଯାଞ୍ଚ କାର୍ଯ୍ୟ ସରିବ । ନଭେମ୍ବର ପ୍ରଥମ ସପ୍ତାହରୁ ସାକ୍ଷାତକାର ପ୍ରକ୍ରିୟା ଆରମ୍ଭ କରିବାକୁ କୁଳାଧିପତି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟରେ ସାକ୍ଷାତକାର ପ୍ରକ୍ରିୟା ଚାଲିଛି । ପୂର୍ବରୁ ଗୋଟେ ଦିନରେ ୧୪ ଜଣ ନିୟମିତ କୁଳପତିମାନଙ୍କୁ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ଏଥିସହ କୁଳପତିମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ରଖିବାକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି କୁଳାଧିପତି । ରାଜ୍ୟପାଳ ହରିବାବୁ କୁମ୍ଭମପାଟିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ୧୭ଟି ବିଶ୍ଵବିଦ୍ୟାଳୟ କୁଳପତି ଓ କୁଳସଚିବ ସାମିଲ ହୋଇଥିଲେ ।
ଖାଲି ପଦବୀ ଉପରେ ନଜର ପକାଇଲେ ଓଡ଼ିଆ ବିଶ୍ବବିଦ୍ୟାଳୟ ଚିନ୍ତା ବଢାଇ ଦେଇଛି । ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ଏଯାଏଁ ଓଡ଼ିଆ ବିଶ୍ବବିଦ୍ୟାଳୟର ୨୧ଟି ଅନୁମୋଦିତ ପଦବୀ ପୂରଣ କରିବାରେ ସକ୍ଷମ ହୋଇ ନାହାନ୍ତି । ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୧୫ ପ୍ରଫେସର, ୨୦ ଆସୋସିଏଟ୍ ପ୍ରଫେସର ଓ ୧୮ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ପଡ଼ିଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୧୯ ପ୍ରଫେସର, ୩୯ ଆସୋସିଏଟ ପ୍ରଫେସର ଓ ୩୯ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ହେବା ଅପେକ୍ଷାରେ ଅଛି । ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୨୧ ପ୍ରଫେସର, ୨୫ ଆସୋସିଏଟ୍ ପ୍ରଫେସର ଓ ୩୩ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ପଡ଼ିଛି । ଉତ୍କଳ ବିଶ୍ବବିଦ୍ୟାଳୟରେ ୩୯ ପ୍ରଫେସର, ୫୧ ଆସୋସିଏଟ୍ ପ୍ରଫେସର ଓ ୫୧ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏ ଯାଏଁ ପୂରଣ ହୋଇ ପାରିନି । ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୨୦ ପ୍ରଫେସର, ୩୦ ଆସୋସିଏଟ୍ ପ୍ରଫେସର ଓ ୩୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ପଡ଼ିଛି । ରମାଦେବୀ ଏକକ ମହିଳା ବିଶ୍ବବିଦ୍ୟାଳୟରେ ୧୧ ପ୍ରଫେସର, ୨୩ ଆସୋସିଏଟ ପ୍ରଫେସର ଓ ୪୭ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ହୋଇ ପାରିନି । ରେଭେନ୍ସା ବିଶ୍ବବିଦ୍ୟାଳୟରେ ୨୨ ପ୍ରଫେସର, ୫୫ ଆସୋସିଏଟ୍ ପ୍ରଫେସର ଓ ୫୦ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ପଡ଼ିଛି । ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ୬ ପ୍ରଫେସର, ୧୨ ଆସୋସିଏଟ୍ ପ୍ରଫେସର ଓ ୩୨ ଆସିଷ୍ଟାଣ୍ଟ ପ୍ରଫେସର ପୂରଣ ହୋଇ ପାରିନି । ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ୧୮ ପ୍ରଫେସର, ୩୪ ଆସୋସିଏଟ୍ ପ୍ରଫେସର ଓ ୫୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ପଡ଼ିଥିବା ନେଇ ଗତ ବିଧାନସଭା ମୌସୁମୀ ଅଧିବେଶନରେ ଉତ୍ତର ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । କୁଳାଧିପତିଙ୍କ ଏହି ସମୀକ୍ଷା ବୈଠକରେ ସମସ୍ତ ଅଂଶୀଦାର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ନେଇ ନିଜ ମତାମତ ରଖିଥିଲେ ।
ବିଶ୍ବବିଦ୍ୟାଳୟ ପରି ୬୬ଟି ସରକାରୀ ଡିଗ୍ରୀ କଲେଜରେ ୨ ହଜାର ୪୫୩ ଅଧ୍ୟାପକଙ୍କ ମଧ୍ୟରୁ ୧ ହଜାର ୭୪୩ ଜଣ କାର୍ଯ୍ୟରତ ଅଛନ୍ତି । ଏବେ ବି ଏହି ସବୁ ସରକାରୀ ଡିଗ୍ରୀ କଲେଜରେ ୭୧୦ଟି ପଦବୀ ଖାଲି ପଡ଼ିଛି । ଅବସର, ପଦୋନ୍ନତି, ସ୍ଥାନାନ୍ତର ଓ ଅଧ୍ୟାପକ ପଦବୀ ସୃଷ୍ଟିରେ ବିଳମ୍ବ ଯୋଗୁଁ ସମୟ ସମୟରେ ଏହି ପଦବୀ ଖାଲି ପଡ଼ି ଚାଲିଛି । ସରକାରୀ ଡିଗ୍ରୀ କଲେଜ ଗୁଡ଼ିକରେ ୩୮୫ଟି ଖାଲି ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ଚୟନ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି ।

