spot_img

Latest Posts

ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ମହା ଘୋଟାଲା, ବୁଢ଼ାବୁଢ଼ିଙ୍କୁ ମିଳୁନି ଭେଣ୍ଡିଆ ଉଠାଉଛନ୍ତି ଲାଭ

ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ମହା ଘୋଟାଲା, ବୁଢ଼ାବୁଢ଼ିଙ୍କୁ ମିଳୁନି ଭେଣ୍ଡିଆ ଉଠାଉଛନ୍ତି ଲାଭ

ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲା ବଡମ୍ବା ବ୍ଲକ ବନମାଳିପୁର ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ମହା ଘୋଟାଲା । ବୁଢାବୁଢୀଙ୍କୁ ମିଳୁନି, ହେଲେ ଭେଣ୍ଡିଆଙ୍କୁ ମିଳୁଛି ଭତ୍ତା । ଭୋଟର ଲିଷ୍ଟରେ ଚଞ୍ଚକତା କରି ୪୦ ବର୍ଷ ବୟସ୍କ ବ୍ୟକ୍ତି ଭତ୍ତା ହାତେଇ ଥିବା ଅଭିଯୋଗ ।

୨୦୨୪ରେ କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ବନମାଳିପୁର ପଞ୍ଚାୟତରେ ବଡ଼ ଧରଣର ଜାଲିଆତି ହୋଇଛି । ଯାହାର ଦସ୍ତାବିଜ ନନ୍ଦିଘୋଷ ଟିଭି ହାତରେ ଲାଗିଛି । ଭୋଟର ତାଲିକା ଅନୁସାରେ ୨୦୧୯ରେ ବେଣୁଧର ବେହେରାଙ୍କ ବୟସ ୪୫ ବର୍ଷ ହୋଇଥିବା ବେଳେ ୨୦୨୬ରେ ୬୨ ବର୍ଷ ହୋଇଛି । ବସନ୍ତ କୁମାର ମୁଦୁଲିଙ୍କ ବୟସ ୨୦୧୯ରେ ୪୭ ଥିଲା ହେଲେ ୨୦୨୬ରେ ୬୫ ଛୁଇଁଲାଣି । ସେହିପରି ମାତ୍ର ୮ ବର୍ଷ ବ୍ୟବଧାନରେ ରମେଶ ଚନ୍ଦ୍ର ମୁଦୁଲିଙ୍କ ବୟସ ୪୭ରୁ ୬୫ ହୋଇଯାଇଛି । ସୁକାନ୍ତ ସାହୁଙ୍କ ବୟସ ୪୬ରୁ ୬୪ ବର୍ଷ ହୋଇଯାଇଛି । ଫକୀର ସାହୁଙ୍କ ବୟସ ୪୫ରୁ ୬୪ ବର୍ଷ ହୋଇଯାଇଛି । ଗୋଟିଏ ପଟେ ପ୍ରକୃତ ହିତାଧିକାରୀ ଭତ୍ତା ପାଉ ନଥିବା ବେଳେ ଏମାନେ ସରକାରୀ ଯୋଜନାରେ ଜାଲିଆତି କରି ଭତ୍ତା ଲୁଟୁଥିବା ଅଭିଯୋଗ ହେଉଛି ।

ଭୋଟର ଲିଷ୍ଟରେ ଚଞ୍ଚକତା କରି ମାତ୍ର ୪୦ ବର୍ଷ ବୟସର ଯୁବକ ମାନେ ଭତ୍ତା ହାତଉଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଘଟଣାର ତଦନ୍ତ କରାଯିବ । ଯଦି କୌଣସି ଅନିୟମିତତା ଥିବା ଜଣାପଡ଼େ, ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବଡମ୍ବା ବିଡିଓ ଚିତ୍ତରଞ୍ଜନ ଦାସ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଏପରି ଅନିୟମିତତା ହେଲା କିପରି ? ଏହା ପଛରେ କିଏ ଅଛି ? ଘଟଣାର ତଦନ୍ତ ହେଲେ ଏମିତି ବୟସ ଘୋଟାଲା କରି ସରକାରୀ ଅର୍ଥ ଆତ୍ମସାତ କରୁଥିବା ବ୍ୟକ୍ତିଙ୍କ ମୁଖା ଖୋଲିବ ବୋଲି ଚର୍ଚ୍ଚା ହେଉଛି ।

Latest Posts

Don't Miss