ନନ୍ଦିଘୋଷ ବ୍ୟୁରୋ: ନେସଲେକୁ ବଡ ଝଟକା । ନିମ୍ନ ମାନର ବାହାରିଲା ମିଲ୍କ ପାଉଡର । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ନେସଲେ ବିରୁଦ୍ଧରେ ଏବେ ବଡ କାର୍ଯାନୁଷ୍ଠାନ ଗ୍ରହଣ କରିଛି । ପରୀକ୍ଷାଗାରରେ ବିଶ୍ଳେଷଣ ପରେ ନେସଲେର “ଲୋ ଫ୍ୟାଟ୍ ଡେରୀ ହ୍ବାଇଟ୍ନର” ର ଏକ ନମୁନା ଅସୁରକ୍ଷିତ ଏବଂ ନିମ୍ନମାନର ଗୁଣବତ୍ତାର ହୋଇଥିବା ଘୋଷଣା କରାଯାଇଛି । ଏହି ସାମ୍ପଲ ନୂଆଦିଲ୍ଲୀର କନଟ୍ ପ୍ଲେସ ସ୍ଥିତ ଦି ଲଳିତ ହୋଟେଲରୁ ସଂଗ୍ରହ କରାଯାଇଥିଲା । ଏହି ଅଣ-ଅନୁପାଳନକରୀ ଉତ୍ପାଦ ସମ୍ପର୍କରେ ହୋଟେଲକୁ ଏକ ନୋଟିସ ଜାରି କରାଯାଇଛି । ତଥାପି ହୋଟେଲ/ ଖାଦ୍ୟ ବ୍ୟବସାୟ ପରିଚାଳକଙ୍କୁ ଖାଦ୍ୟ ବିଶ୍ଲେଷକଙ୍କ ଏହି ରିପୋର୍ଟ ବିରୁଦ୍ଧରେ ଆବେଦନ କରିବାର ସୁଯୋଗ ଦିଆଯାଇଛି । ସେପଟେ FSSAI ଅଧିକାରୀମାନେ ଖାଦ୍ୟ ବ୍ୟବସାୟ ଅପରେଟରଙ୍କୁ ଏହି ଉତ୍ପାଦର ବିକ୍ରୟକୁ ତୁରନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଗ୍ରାହକମାନଙ୍କୁ ମଧ୍ୟ ଏହି ନିମ୍ନମାନର ଗୁଣବତ୍ତା ଥିବା ଉତ୍ପାଦ କିଣିବା କିମ୍ବା ସେବନ ପୁର୍ବରୁ ସରକାରୀ ଅପଡେଟ୍ ଅନୁସରଣ କରିବା ଏବଂ ଉତ୍ପାଦ ସୂଚନା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ଏହି “ଲୋ ଫ୍ୟାଟ୍ ଡେରୀ ହ୍ବାଇଟ୍ନର” ହେଉଛି ଏକ ମିଲ୍କ ପାଉଡର , ଯାହାକୁ ସାଧାରଣତଃ ଚାହା କିମ୍ବା କଫିରେ କ୍ଷୀରର ବିକଳ୍ପ ଭାବରେ ବ୍ୟବହାର କରାଯାଇଥାଏ । ଆଉ ଏହି ଖବର ଏବେ ଆସିବା ପରେ ଗ୍ରାହକଙ୍କ ଭିତରେ ଚିନ୍ତା ପ୍ରକାଶ ପାଇଛି ।
FSSAI ସାରା ଦେଶରେ ଖାଦ୍ୟ ସୁରକ୍ଷା ଯାଞ୍ଚକୁ ତୀବ୍ର କରୁଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏହା ପ୍ରଥମ ଥର ନୁହେଁ, ଯେତେବେଳେ ନେସଲେ ପ୍ରଡକ୍ଟକୁ ଟାର୍ଗେଟ କରାଯାଇଛି । ଏହା ପୁର୍ବରୁ ଖାଦ୍ୟ ସୁରକ୍ଷା ନିୟାମକ ଶିଶୁ ଆହାରର ଏକ ନମୁନାରେ ଗୁଣାତ୍ମକ ମାନଦଣ୍ଡ ଉଲଂଘନ ହୋଇଥିବା ଜଣାପଡିବା ପରେ ନେସଲେ ଇଣ୍ଡିଆ ଲିମିଟେଡ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । FSSAI କହିଛି ଯେ, କମ୍ପାନୀ ଦ୍ବାରା ଉତ୍ପାଦିତ ଏହାର ଫଲୋ-ଅପ୍ ଫର୍ମୁଲାର ଏକ ନମୁନାରେ ପରୀକ୍ଷାଗାର ବିଶ୍ଲେଷଣ ସମୟରେ ବାୟୋଟିନ ପରିମାଣ କମ୍ ଥିବା ଜଣାପଡିଥିଲା । ଏହାଛଡା FSSAI ଆହୁରି ମଧ୍ୟ କହିଛି ଯେ, ଅନ୍ୟ ଦୁଇଟି ଶିଶୁ ଆହାର ଉତ୍ପାଦ ଏନଏଏନ ଏକ୍ସଲା ପ୍ରୋ ଷ୍ଟେଜ ୧ ଓ ଲାକ୍ଟୋଜେନ୍ ପ୍ରୋ ୧ ର ପ୍ରଚାରରେ ମଧ୍ୟ ସମସ୍ୟା ମିଳିଥିଲା ।
ସୁଚନା ମୁତାବକ, ପ୍ରଥମେ ୨୦୧୫ ମସିହାରେ ନେସଲେ ଖାଦ୍ୟ ନିୟାମକ FSSAI ର ନଜରକୁ ଆସିଥିଲା । ଯେତେବେଳେ ଏହାର ଲୋକପ୍ରିୟ ମ୍ୟାଗି ନୁଡୁଲ୍ସରେ ସୀସା ମିଶିଥିବା ଏବଂ ଲେବଲିଂରେ ତ୍ରୁଟି ଥିବା ଯୋଗୁଁ ନିଷିଦ୍ଧ କରାଯାଇଥିଲା । ଯାହା ଫଳରେ ବଡ ପରିମାଣର ପ୍ରଡକ୍ଟକୁ ମାର୍କେଟରୁ ଫେରାଇ ନିଆଯାଇଥିଲା । ଅବଶ୍ୟ ପରେ ନୂତନ ପରୀକ୍ଷଣ ପରେ ମ୍ୟାଗିକୁ ପୁଣିଥରେ ଦୋକାନରେ ବିକ୍ରି କରାଯାଇଥିଲା ।

