ନନ୍ଦିଘୋଷ ବ୍ୟୁରୋ : ସବୁଥିରେ ଫେଲ ଡବଲ ଇଞ୍ଜିନ ସରକାର । ଓଡ଼ିଶାର ସ୍ବାର୍ଥ ପାଇଁ ବିଜେପି ଚୁପ । ଖଣି ମାଲିକଙ୍କ ସ୍ବାର୍ଥ ପାଇଁ କିନ୍ତୁ ଲଢିବାକୁ ପ୍ରସ୍ତୁତ । କଟାକ୍ଷ କରି ଆନ୍ଦୋଳନକୁ ଆହୁରି ଶାଣିତ କରିବାକୁ ନବୀନ ଦେଇଛନ୍ତି ଆହ୍ବାନ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଟିରୁ ପୁଣି ଥରେ ଆରମ୍ଭ ହୋଇଛି ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା । ବିଜେପିକୁ ଟାର୍ଗେଟ କରି ଏହାର ଶୁଭାରମ୍ଭ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି । ପ୍ରତି ବର୍ଷ ପରି ଚଳିତ ବର୍ଷ ବି ଗାନ୍ଧୀ ଜୟନ୍ତୀଠାରୁ ବିଜୁ ଜନତା ଦଳର ବାର୍ଷିକ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଯାହା ମାସେବ୍ୟାପୀ ନଭେମ୍ବର ଦୁଇ ତାରିଖ ପର୍ଯ୍ୟନ୍ତ ଚାଲିବ ।
୨୫ ବର୍ଷ ଯାଏଁ ବିଜୁ ଜନତା ଦଳ ତା’ର ଭଲ କାମ ପାଇଁ ସବୁବେଳେ ଲୋକଙ୍କ ହୃଦୟରେ ଅଛି ଓ ରହିଥିବା ନେଇ ନବୀନ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ରାଜ୍ୟ ବିଜେପି ସରକାର କହୁଛନ୍ତି ଲୋକଙ୍କ ସରକାର । ହେଲେ ଲୋକଙ୍କ କଥା ଶୁଣିବାକୁ କେହି ନାହିଁ । ପିଲାଙ୍କ ପାଠ ବହି ନାହିଁ। ବୁଢାବୁଢ଼ୀଙ୍କ ପେନସନ ନାହିଁ। ଚାଷୀ ହଇରାଣ। ମା ମାନେ ହଇରାଣ। ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ରାଜ୍ୟ ସରକାରଙ୍କ ବିଫଳତା ଓ କୁପରିଚାଳନାକୁ ଟାର୍ଗେଟ କରି ନବୀନ କଟାକ୍ଷ କରି କହିଥିଲେ ଯେ ଏ ସରକାର ଗୋଟିଏ ବି ରଥଯାତ୍ରା ଠିକ ଭାବରେ ପରିଚାଳନା କରି ପାରିଲେନି । ସବୁଥିରେ କୁପରିଚାଳନାକୁ ଦେଖି ଲୋକ କହିଲେଣି ଯେ ଓଡ଼ିଶା ବିଜେପି ସରକାର କୁପରିଚାଳନାରେ ବିଶେଷ ଦକ୍ଷତା ହାସଲ କରିଛି । କେନ୍ଦ୍ର ସରକାର ଖଣି ଉପରୁ ଓଡ଼ିଶାବାସୀଙ୍କ ଅଧିକାର ଛଡ଼ାଇ ନେଲେ । ହେଲେ ଓଡ଼ିଶା ସରକାରଙ୍କ ନିରବତା ସମସ୍ତଙ୍କୁ ଚକିତ କରିଛି । କୋଡିଏ ବିଜେପି ସାଂସଦ ମୁହଁ ଖୋଲିଲେ ନାହିଁ । ବଜେଟ ବ୍ୟୟ ବରାଦ ଖର୍ଚ୍ଚ ହୋଇ ପାରୁନି । ଋଣ ଭାର ବଢ଼ି ଚାଲିଛି । ଟଙ୍କା ଯାଉଛି କୁଆଡ଼େ ବୋଲି ନବୀନ ପ୍ରଶ୍ନ କରିଥିଲେ ।

