spot_img

Latest Posts

ମହାନଦୀ ବିବାଦ: ଫିଟିବ କି ସମାଧାନର ବାଟ?

ନନ୍ଦିଘୋଷ ବ୍ୟୁରୋ : ମହାନଦୀ ଜଳ ବିବାଦକୁ ନେଇ ଦିଲ୍ଲୀରେ ବଡ଼ ବୈଠକ ପରେ ଫିଟିବ କି ଆପୋଷ ସମାଧାନର ବାଟ ? କେଉଁ ଫର୍ମୂଲାରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଓଡ଼ିଶା ଓ ଛତିଶଗଡ଼ ଜଳ ବିବାଦର ଅନ୍ତ ହେବ ? ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। କେନ୍ଦ୍ର ମଧ୍ୟସ୍ତିରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କେଉଁ କେଉଁ ଏଜେଣ୍ଡା ଉପରେ ବୈଠକରେ ଆଲୋଚନା କଲେ, ତାହା ବିଷୟରେ ଜାଣିବାର ଅଧିକାର ଓଡ଼ିଶାବାସୀଙ୍କର ଅଛି ବୋଲି କହିଛି ବିଜେଡି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ଦିନଠାରୁ ମହାନଦୀ ଜଳ ବିବାଦର ଆପୋଷ ସମାଧାନ ଖୁବଶୀଘ୍ର ହେବ ବୋଲି କହି ଆସୁଛି। କିନ୍ତୁ ସମାଧାନର ପ୍ରକ୍ରିୟା କେତେ ବାଟ ଆଗେଇଛି, ସେନେଇ ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖାଯାଉଛି। ଯଦି ଆପୋଷ ସମାଧାନ ହେଉଛି, ତେବେ ମହାନଦୀ ଉପରେ ବେଆଇନ ନିର୍ମାଣକୁ ପ୍ରଥମେ ବନ୍ଦ କରୁ ଛତିଶଗଡ଼। ଏହାସହ ଅଣମୌସୁମୀ ସମୟରେ ଓଡ଼ିଶାକୁ ପାଣି ଛାଡୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।

ସେପଟେ କଂଗ୍ରେସ କହିଛି, ମହାନଦୀ ଜଳ ଉପରେ ଉଭୟ ରାଜ୍ୟର ସମାନ ଅଧିକାର ଅଛି। କିନ୍ତୁ ଛତିଶଗଡ଼ର ମନମାନିକୁ ଓଡ଼ିଶା କଦାପି ବରଦାସ୍ତ କରିବ ନାହିଁ। ଅନ୍ୟପଟେ ଦିଲ୍ଲୀ ବୈଠକକୁ ଚିରାଚରିତ କହି ଆକ୍ଷେପ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। କେଉଁ ସବୁ ବିଷୟରେ ବୈଠକରେ ବିଚାର ବିମର୍ଶ କରାଗଲା, ସେନେଇ ରାଜ୍ୟବାସୀଙ୍କୁ ଜଣାଉନାହାନ୍ତି ସରକାର। କିନ୍ତୁ ଏହି ପ୍ରସଙ୍ଗରେ ଆଇନଗତ ଲଢ଼େଇକୁ ଜୋରଦାର କରାଯିବ ବୋଲି କହିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ସେପଟେ ଏ ମାମଲାରେ ରାଜ୍ୟ ସରକାର ଆନ୍ତରିକତା ଦେଖାଇବା ଦରକାର ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ। ହେଲେ ବିଜେପି କହିଛି, ବିବାଦର ସ୍ଥାୟୀ ସମାଧାନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।

Latest Posts

Don't Miss