spot_img

Latest Posts

ଶିଶୁଠୁ ବୟସ୍କ, ସମସ୍ତଙ୍କୁ ମାନିଆ କରିଛି ମୋବାଇଲ : ଶରୀର, ମସ୍ତିଷ୍କ ଉପରେ ପଡୁଛି କୁପ୍ରଭାବ

କଟକ : ଶିଶୁଠୁ ବୟସ୍କ, ସମସ୍ତଙ୍କୁ ମାନିଆ କରିଛି ମୋବାଇଲ । କ୍ଷଣିକ ପାଇଁ ଆଖି ଆଗରୁ ଦୂରେଇ ଗଲେ ଜୀବନ ଛାଡିଗଲା ଭଳି ଲାଗୁଛି । ସକାଳୁ ସଞ୍ଜ ଆବଶ୍ୟକ୍ ପଡୁଛି ଏହି ଇଲେକ୍ଟୋନିକ୍ସ ଡିଭାଇସ୍ । କାମ ମଝିରେ ଏବଂ ଶୋଇବା ପୂର୍ବରୁ ଟିକେ ସୋସିଆଲ ମିଡ଼ିଆ ଦେଖିବା ଅଭ୍ୟାସରେ ପରିଣତ ହୋଇଛି । ହେଲେ ଏହି ଅଭ୍ୟାସ ଯେ କେତେ ସାଂଘାତିକ ତାହା ଉପରେ ନଜର ପକାନ୍ତୁ । ମୋବାଇଲ ଦ୍ବାରା ଶାରୀର, ମସ୍ତିଷ୍କ ଉପରେ କୁପ୍ରଭାବ ପଡୁଛି । ମୋବାଇଲ୍ ରିଅଲରୁ ନେଇଯାଉଛି ଭର୍ଚ୍ଚୁଆଲ ଦୁନିଆକୁ । ଏହାକୁ ଡାକ୍ତରୀ ଭାଷାରେ ନୋମୋଫୋବିଆ କୁହାଯାଏ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର । ସେହିଭଳି IT ବିଭାଗରେ କାର୍ଯ୍ୟରତ ଯୁବପିଢ଼ି କହିଛନ୍ତି ରାତିରେ ଆଠରୁ ନଅ ଘଣ୍ଟା ମୋବାଇଲକୁ ଅନାଇ କାର୍ଯ୍ୟ କରିବା ଦ୍ଵାରା ବିଭିନ୍ନ ପ୍ରକାର ରୋଗ ଗ୍ରାସ କରୁଛି । ଏମିତିକି କ୍ୟାନସର ଭଳି ମାରାତ୍ମକ ରୋଗରେ ବି ପୀଡିତ ହେଉଛନ୍ତି ଲୋକ । ଯାହା ଜୀବନଶୈଳୀକୁ ପ୍ରଭାବିତ କରୁଛି । କେବଳ କାର୍ଯ୍ୟକ୍ଷେତ୍ର କାହିଁକି ରୋଷେଇ ଘରଠୁ ନେଇ ଖେଳକୁଦ ପର୍ଯ୍ୟନ୍ତ ସମସ୍ତେ ଏବେ ଫୋନ ସହ ଜଡ଼ିତ ।
ଦିନର ବଡ଼ ସମୟ ଏବେ ସ୍କ୍ରିନରେ ବିତୁଛି । ସୁବିଧା ବଢ଼ାଇଥିବା ଏହି ଡିଭାଇସ୍‌ ଅତ୍ୟଧିକ ବ୍ୟବହାର ଦ୍ୱାରା ନିଦ୍ରା, ଧ୍ୟାନ, ମାନସିକ ଚାପ ଏବଂ ଆଖି ଓ ଶରୀର ଉପରେ ସମସ୍ୟା ସୃଷ୍ଟି କରୁଛି । ଡିଜିଟାଲ୍ ଯୁଗରେ ଇଲେକ୍ଟ୍ରୋନିକ୍ ଡିଭାଇସ୍‌ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ସମ୍ଭବ ନୁହେଁ । କିନ୍ତୁ ଡିଭାଇସ୍ ଆମ ଜୀବନକୁ ନିୟନ୍ତ୍ରଣ କରିବା ପୂର୍ବରୁ ଆମେ ଡିଭାଇସ୍‌ର ବ୍ୟବହାରକୁ ନିୟନ୍ତ୍ରଣ କରିବା ଉଚିତ୍ ବୋଲି କହିଛନ୍ତି ନ୍ୟୁରୋ ଡାକ୍ତର ଶୁଭଙ୍କର ମିଶ୍ର । ସୁବିଧା ପାଇଁ ଟେକ୍ନୋଲୋଜି । କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ସନ୍ତୁଳନ । ମୋବାଇଲ ସ୍କ୍ରିନରେ ସମୟ କମ୍ କରି ଜୀବନଶୈଳିକୁ ସନ୍ତୁଳିତ କରିବା ପାଇଁ ସଚେତନ ହେବା ନିହାତି ଅବଶ୍ୟକ ହୋଇପଡିଛି ।

Latest Posts

Don't Miss