spot_img

Latest Posts

ଓଡ଼ିଶା ଡିଜିପି ଚୟନ ମାମଲା: ସୁପ୍ରିମକୋର୍ଟରେ ଶୁଣାଣି ଶେଷ

ନନ୍ଦିଘୋଷ ବ୍ୟୁରୋ : ସୁପ୍ରିମକୋର୍ଟରେ ସରିଲା ଓଡ଼ିଶା ଡିଜିପି ଚୟନ ମାମଲାର ଶୁଣାଣି। ଓଡ଼ିଶା ସରକାରଙ୍କ ସମେତ ମାମଲାରେ ସମସ୍ତ ପକ୍ଷଙ୍କୁ ଶୁଣିଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ଦୁଇଟି ଏକ୍ସ-କ୍ୟାଡର ପଦବୀରେ ଦୁଇଜଣ ଲେଭଲ-୧୬ର ଅଧିକାରୀ ଥାଉ ଥାଉ କାହିଁକି ରାଜ୍ୟ ସରକାର ଆଉ ଦୁଇଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ଏକ୍ସ-କ୍ୟାଡର ପଦବୀକୁ ଉନ୍ନୀତ କଲେ? ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କ ଆଗରେ ଉତ୍ତର ରଖିଥିଲେ। ଲେଭଲ-୧୫ର ଆଇପିଏସ ଅଧିକାରୀଙ୍କୁ ଲେଭଲ-୧୬କୁ ଉନ୍ନୀତ କରିବା ଆଇନସମ୍ମତ ଥିଲା ନା ନାହିଁ? ଆବେଦନକାରୀଙ୍କ ପକ୍ଷରୁ ଏହା ଠିକ୍ ନଥିଲା ବୋଲି ଯୁକ୍ତି ଦର୍ଶାଯାଉଥିବାବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ସରକାରଙ୍କ ସୁପାରିସ ଠିକ୍ ଥିଲା ବୋଲି ଜବାବ ଦେଇଥିଲେ। ବରିଷ୍ଠ ଆଇପିଏସ ଅଧିକାରୀ ସୁଶାନ୍ତ ନାଥଙ୍କ ସତ୍ୟନିଷ୍ଠା ପ୍ରମାଣପତ୍ର ପ୍ରତ୍ୟାହାର ପଛର କାରଣ କଣ ଥିଲା? ଏହା ଆଇନସମ୍ମତ ଥିଲା ନା ନାହିଁ? ସମସ୍ତ ଘଟଣାରେ ୟୁପିଏସସିର ରୁଲ୍‌ ୨-ଏ ଓ ୨-ବିର ଅନୁପାଳନ ହୋଇଛି କି ନାହିଁ?   ପ୍ରକାଶ ସିଂ ମାମଲାର ରାୟ ୨୦୦୬ରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ଅବସ୍ଥାରେ ପ୍ରକାଶ ସିଂ ରାୟ ଆଧାରରେ ୨୦୧୮ ଓ ୨୦୧୯ରେ ପ୍ରସ୍ତୁତ ଗାଇଡଲାଇନ ଅନୁଯାୟୀ ବରିଷ୍ଠତା ଆଧାରରେ ରାଜ୍ୟ ସରକାର ଆଇପିଏସ ଅଧିକାରୀଙ୍କ ତାଲିକା ୟୁପିଏସସିକୁ ପଠାଇଥିଲେ ନା ନାହିଁ, ସେ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

ଏ ତମାମ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲା ବାଗଚୀ ଓ ଜଷ୍ଟିସ ଭି. ମୋହନାଙ୍କ ଖଣ୍ଡପୀଠ ସମସ୍ତ ପକ୍ଷଙ୍କୁ ଶୁଣିଥିଲେ। ଆସନ୍ତାମାସ ୮ ତାରିଖରେ ଝାଡ଼ଖଣ୍ଡ ଡିଜିପି ଚୟନ ନେଇ ସମାନ ମାମଲାର ଶୁଣାଣି ରହିଛି। ସେହିଦିନ ଝାଡ଼ଖଣ୍ଡ ମାମଲାର ଶୁଣାଣି ପରେ ଏକସଙ୍ଗେ ରାୟ ଶୁଣାଇବେ ସୁପ୍ରିମକୋର୍ଟ।

Latest Posts

Don't Miss