spot_img

Latest Posts

MMDR ଆଇନ ବିରୋଧରେ ନବୀନଙ୍କ ରଣହୁଙ୍କାର, ସବୁ ଦଳକୁ ଏକାଠି ହେବାକୁ ଆହ୍ୱାନ

ନନ୍ଦିଘୋଷ ବ୍ୟୁରୋ : ଲୋୟର ପିଏମଜିରେ ନବୀନଙ୍କ ରଣହୁଙ୍କାର। ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ସମସ୍ତ ରାଜନୈତିକ ଦଳଙ୍କୁ ଏକାଠି ହୋଇ ଲଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି । କହିଛନ୍ତି, ସାଢ଼େ ଚାରି କୋଟି ଓଡ଼ିଆଙ୍କ ପାଇଁ ବିଜେଡି ଏକାଠି ହୋଇ ଲଢ଼େଇ କରୁଛି। ଜେନ-ଜିଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ବିଜେଡି ଲଢ଼େଇ କରୁଛି। ଓଡ଼ିଶାର ଅଧିକାର ପାଇଁ ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ଲଢ଼ିବି ବୋଲି ଗର୍ଜନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲୋୟର ପିଏମଜିରେ ବିଜେଡିର ଏମଏମଡିଆର ଲଢ଼େଇରେ ସାମିଲ ହୋଇ ସେ କହିଛନ୍ତି, MMDR ସଂଶୋଧନ ବିଲ୍ ଏକ ସାଧାରଣ ବିଲ୍ ନୁହେଁ। ରାଜ୍ୟର ଅଧିକାର ସହ ଏ ବିଲ୍ ଜଡ଼ିତ। ଓଡ଼ିଶାର ଖଣି, ଓଡ଼ିଶାର ଜମି ଉପରେ ଓଡ଼ିଶାବାସୀ ହେଉଛନ୍ତି ମାଲିକ। ଦୁଃଖର କଥା, ବିନା ଆଲୋଚନାରେ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାର୍ଲିଆମେଣ୍ଟରେ ପାସ୍ ହୋଇଗଲା। ଆଉ ଆମର କୋଡ଼ିଏ ବିଜେପି ସାଂସଦ ଚୁପ୍ ବସିଲେ କାହା ସ୍ୱାର୍ଥରେ? ଓଡ଼ିଶା ସରକାର ବି ଚୁପ୍ ରହିଲେ କାହା ଡରରେ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି। ହେଲେ ଉତ୍ତର ମିଳିଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଏମଏମଡିଆର ସଂଶୋଧନ ଆଇନକୁ ବିରୋଧ କରି ସଂକଳ୍ପ ପାଇଁ ପୁଣି ଚିଠି ଲେଖିଲି। ତାହାର ବି ଉତ୍ତର ମିଳିଲା ନାହିଁ। ନାହିଁ ନାହିଁର ଏ ସରକାର। କେବଳ ବାକ୍ୟବୀର। ଏହି ଆଇନ ପାଇଁ ଓଡ଼ିଶା ହଜାର ହଜାର କୋଟି ଟଙ୍କା କ୍ଷତି ପ୍ରତିବର୍ଷ ସହିବ। ଓଡ଼ିଶାର ସ୍ୱାର୍ଥ ପାଇଁ ସରକାର ନିରବ କାହିଁକି?

ଏ ମାଟିଠାରୁ ପାର୍ଟି କେବେ ବି ବଡ଼ ହୋଇ ପାରିବ ନାହିଁ। ଚୌକି ଆଜି ଅଛି, କାଲି ନ ଥିବ। କିନ୍ତୁ ଏ ମାଟିକୁ ଧୋକା ଦେଲେ ସବୁ ଦିନ ପାଇଁ ନିନ୍ଦା ମିଳିବ। ଜେନ-ଜି ଆପଣଙ୍କୁ କ୍ଷମା ଦେବେ ନାହିଁ। ଓଡ଼ିଶାବାସୀ କ୍ଷମା ଦେବେ ନାହିଁ। ଓଡ଼ିଶାର ଅଧିକାର ପାଇଁ ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ଲଢ଼ିବି ବୋଲି ନବୀନ କହିଛନ୍ତି। ସମସ୍ତଙ୍କୁ ଅନୁରୋଧ କରି କହିଛନ୍ତି, ସବୁ ଦଳଙ୍କୁ ଅନୁରୋଧ କରି କହିଛନ୍ତି, ଏ ଲଢ଼େଇରେ ସାମିଲ ହୁଅନ୍ତୁ। ଏ ମାଟି ପାଇଁ ଏକାଠି ହୁଅନ୍ତୁ। ସଂକଳ୍ପ କରିବା, ଏମଏମଡିଆର ସଂଶୋଧିତ ଆଇନକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇ ଦେବା ନାହିଁ। ଆମେ ଲଢ଼ିବା, ଆମ ହକ୍ ଫେରାଇ ଆଣିବା ବୋଲି ନବୀନ ଆହ୍ୱାନ ଦେଇଛନ୍ତି।

Latest Posts

Don't Miss