ନନ୍ଦିଘୋଷ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ପ୍ରାୟ ୧୪୦ କିଲୋମିଟର, ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୧୫୦ କିଲୋମିଟର ଏବଂ ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୨୧୦ କିଲୋମିଟର ଦୂରରେ ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି ଜାରି ରଖିଛି। ଆଜି ରାତିରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। କଳିଙ୍ଗପଟ୍ଟନମ ନିକଟରେ ଏହା ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିପାରେ। ବେଳେବେଳେ ଏହା ୭୫ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ।
ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜୋରଦାର ବର୍ଷା ହେଉଛି। ଆଗାମୀ ୨୪ ଘଣ୍ଟାରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ୬ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ଏହାସହ ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଜାରି କରାଯାଇଛି।

