ରାଜଧାନୀ ଦିଲ୍ଲୀରେ ଲଜ୍ଜା। ପୋଲିସ ବର୍ଦ୍ଦିରେ ଲାଗିଲା କଳଙ୍କ। କାଲକାଜି ମନ୍ଦିର ଇଲାକା ଅନ୍ତର୍ଗତ ଆସ୍ଥା କୁଞ୍ଜ ପାର୍କରେ ଜଣେ ୧୭ ବର୍ଷ ବୟସ୍କା ନାବାଳିକାଙ୍କୁ ଗଣଦୁଷ୍କର୍ମ। ବଡ଼ କଥା ହେଉଛି ପୋଲିସ ବେଶରେ ୩ ଅଭିଯୁକ୍ତ କରିଛନ୍ତି ଗଣଦୁଷ୍କର୍ମ। ନିଜର ପୁରୁଷ ବନ୍ଧୁଙ୍କଠାରୁ ଯୁବତୀଙ୍କୁ ଛଡ଼ାଇ ନେଇ ଅମାନବୀୟ କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ। ଏହି ଲୋମହର୍ଷକ ଘଟଣା ସାରା ଦେଶରେ ପୁଣି ଚର୍ଚ୍ଚାର କାରଣ ହୋଇଛି। ଗତକାଲି ରାତି ୭ଟାରେ ପୁରୁଷ ବନ୍ଧୁଙ୍କ ସହ ଯୁବତୀ ଠାକୁରଙ୍କ ଦର୍ଶନ ଲାଗି କାଲକାଜୀ ମନ୍ଦିର ଯାଇଥଇଲେ। ପରେ ସେମାନେ ଗେଟ ନମ୍ବର ୭ ଦେଇ ଆସ୍ଥା କୁଞ୍ଜକୁ ଯାଇଥିଲେ। ରାତି ସାଢ଼େ ୭ଟାରେ ୩ ଦୁର୍ବୃତ୍ତ ପୋଲିସ ବେଶରେ ଯାଇ ସେମାନଙ୍କୁ ଧମକ ଚମକ ଦେଇଥିଲେ। ଜୋର ଜବରଦସ୍ତ ପୁରୁଷ ବନ୍ଧୁଙ୍କଠାରୁ ସେମାନେ ଯୁବତୀଙ୍କୁ ପୂର୍ବ ନିର୍ଦ୍ଧାରିତ ସ୍ଥାନକୁ ନେଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଆସିଫ ନାମକ ଜଣେ ବ୍ୟକ୍ତି ଏକ ଆଗ୍ନେୟାସ୍ତ୍ର ଓ ଛୁରୀ ଦୁହିଁଙ୍କୁ ଡରାଇଥିଲା। ଅନ୍ୟ ୨ ଜଣ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏହି ବର୍ବର କାଣ୍ଡ ପାର୍କରେ ଘଟିଚାଲିଥିବାବେଳେ କେହି ଏହାର ଟେର୍ ପାଇ ନଥିଲେ। ରାତି ୮.୪୫ରେ ଏସମ୍ପର୍କରେ ପିସିଆର ନିକଟରେ ଖବର ପହଞ୍ଚିଥିଲା। ଘଟଣାସ୍ଥଳରେ ଅମର କଲୋନି ପୋଲିସ ପହଞ୍ଚି ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହ ଘଟଣାକୁ ନେଇ ପୋଲିସ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଧାରା ବି ଲାଗିଛି। ଅସିଫ ନାମକ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରି ଗିରଫ କରିଛି। ତାକୁ ଏସମ ଟ୍ରମା କେୟାରରେ ଭର୍ତ୍ତି କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।

